ପୁରୀରେ କଂଗ୍ରେସର ବିଶାଳ ରାଲି, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି...

ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।

Congress

ପୁରୀରେ କଂଗ୍ରେସର ମହାସମାବେଶ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀରେ ଆଜି ବିଶାଳ ରାଲି କରାଯାଇଛି । ଶରଧା ବାଲିରୁ ଏକ ବିଶାଳ ରାଲିରେ ବାହାରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଦାବିପତ୍ର ଦେଇଥିଲେ କଂଗ୍ରେସ ନେତୃବୃନ୍ଦ ।  କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।

ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କୋଭିଡ୍ ବେଳେ ବନ୍ଦ ହୋଇଥିଲା ଏବେ କାହିଁକି  ବନ୍ଦ ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏଥିସହ ରତ୍ନଭଣ୍ଡାର ଖୋଲି ଗଣତି ପାଇଁ ଦାବି କରିଛନ୍ତି କଂଗ୍ରେସ ନେତୃବୃନ୍ଦ । ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇବାକୁ ଦାବି ଜଣାଇଛନ୍ତି ।

କଂଗ୍ରେସ କର୍ମୀମାନେ ବିଶାଳ ଶୋଭାଯାତ୍ରାରେ ଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଥିଲେ କଂଗ୍ରେସ ନେତୃବୃନ୍ଦ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି । କାର୍ତ୍ତିକ ପୂର୍ବରୁ ଚାରି ଦ୍ୱାର ଖୋଲିବାକୁ ଲିଖିତ ଭାବେ ଜଣାଇଛନ୍ତି ।

କଂଗ୍ରେସ ପକ୍ଷରୁ ଦାବିପତ୍ର ମିଳିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେ କହିଛନ୍ତି, ‘କଂଗ୍ରେସ ପ୍ରତିନିଧି ଦଳ ଦାବି ରଖିଛନ୍ତି, ଭଲଭାବେ ତର୍ଜମା କରିନି । ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଜମି ହସ୍ତାନ୍ତର ଦାବି ରହିଛି । ପରବର୍ତ୍ତୀ ଅବସ୍ଥାରେ ଏହାକୁ ପରୀକ୍ଷାନୀରିକ୍ଷା କରିବୁ । ସେପଟେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ କଂଗ୍ରେସ ଡେଡ୍‌ଲାଇନ ଦେଇଛି। 

ତେବେ ଆସନ୍ତା ୨୮ ତାରିଖ ଡେଡ୍‌ଲାଇନ୍ ବୋଲି ପିସିସି ସଭାପତି କହିଛନ୍ତି । ୨୮ ଭିତରେ ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି ।