Special Story: ୨୯ ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶା ମଡେଲ ଆପଣାଇବ କଂଗ୍ରେସ

୨୪ ନିର୍ବାଚନରେ କଂଗ୍ରେସ ଦକ୍ଷିଣ ଓଡ଼ିଶାର ୧୦ଟି ବିଧାୟକ ଆସନ ଜିତିଥିଲା । ତେଣୁ ସେହି ରଣନୀତିକୁ ଆହୁରି ମଜବୁତ କରି ସାରା ଓଡ଼ିଶାରେ ପ୍ରୟୋଗ କରିବାର ଯୋଜନା ରଖିଛି ଦଳ ।

୨୯ ପାଇଁ କଂଗ୍ରେସର ବ୍ରହ୍ମାସ୍ତ୍ର

୨୦୨୯ ପାଇଁ କଂଗ୍ରେସର ଦକ୍ଷିଣ ଓଡ଼ିଶା ମଡେଲ । ନିର୍ବାଚନ ଜିତି ଓଡ଼ିଶାରେ କଂଗ୍ରେସ ଗଢିବ ସରକାର । କଂଗ୍ରେସ ଭବନରେ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ଜିତିବା ପାଇଁ କଂଗ୍ରେସର ବଡ଼ ଯୋଜନା । କଂଗ୍ରେସ ଭବନରେ ଦଳୀୟ ପ୍ରଭାରୀ ଅଜୟ କୁମାର ଲଲୁ, ସାଂସଦ ସପ୍ତଗିରି ଉଲ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସମେତ ଅନ୍ୟ ବିଧାୟକ ଓ ଜିଲ୍ଲା ସଭାପତିମାନେ ମାନସମନ୍ଥନ କଲେ । ଆଉ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ରଣନୀତି । ଆଗକୁ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ରହିବ ? କେଉଁ ମୁଦ୍ଦା ନେଇ କଂଗ୍ରେସ ନିର୍ବାଚନକୁ ଓହ୍ଲାଇବ ? ଏବଂ କିଭଳି ଦଳକୁ ତୃଣମୂଳ ସ୍ତରରେ ମଜବୁତ କରି ହେବ ସେନେଇ ବୈଠକରେ ଆଲୋଚନା ହୋଇଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ।

ଅଧିକ ପଢ଼ନ୍ତୁ: ଆଜିଠୁ ଦିଲ୍ଲୀ ବିଧାନସଭା, ଶପଥ ନେବେ କାମଚଳା ବାଚସ୍ପତି

୨୪ ନିର୍ବାଚନରେ କଂଗ୍ରେସ ଦକ୍ଷିଣ ଓଡ଼ିଶାର ୧୦ଟି ବିଧାୟକ ଆସନ ଜିତିଥିଲା । ତେଣୁ ସେହି ରଣନୀତିକୁ ଆହୁରି ମଜବୁତ କରି ସାରା ଓଡ଼ିଶାରେ ପ୍ରୟୋଗ କରିବାର ଯୋଜନା ରଖିଛି ଦଳ । ସବୁ ବିଧାୟକ ଓ କର୍ମୀ ଏକ ହୋଇ ବିଧାନସଭା ବାହାରେ ଓ ଭିତରେ ଓଡ଼ିଶାର ବିଭିନ୍ନ ମୁଦ୍ଦାକୁ ନେଇ ଲଢିବେ । ଆଉ ୨୦୨୯ରେ କଂଗ୍ରେସ ଓଡ଼ିଶାରେ ସରକାର କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ସେପଟେ କଂଗ୍ରେସରେ ଦେଖା ଯାଉଥିବା ଗୋଷ୍ଠୀ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ କହିଛନ୍ତି, ଏବେ ଆଉ ଦଳରେ ଗୋଷ୍ଠୀ କନ୍ଦଳ ଦେଖା ଦେବନି । ଆମେ ହାରି ହାରି ୨୫ ବର୍ଷ ହାରିଗଲୁଣି । ଏବେ ସମୟ ଆସିଛି ଦଳକୁ ସୁଦୃଢ କରିବାର । ଆମର ପ୍ରଥମ ଲକ୍ଷ୍ୟ ରହିବ ଅବିଭକ୍ତ କୋରାପୁଟରେ କିଭଳି ୧୪ଟି ବିଧାୟକ ଓ ୨ଟି ସାଂସଦ ଆସନ ଜିତିବା । ଅନ୍ୟ ଜିଲ୍ଲାରେ ମଧ୍ୟ ଦକ୍ଷିଣ ଓଡ଼ିଶା ରଣନୀତି ଆପଣେଇ କଂଗ୍ରେସ ନିଜ ସ୍ଥିତି ସୁଦୃଢ କରିବ ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ୨୦୨୯ ନିର୍ବାଚନ ପାଇଁ କଂଗ୍ରେସକୁ ଏହି ଦକ୍ଷିଣ ଓଡ଼ିଶା ରଣନୀତି କେତେ ସଫଳତା ଦେଉଛି ।