• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଯୋଡ଼ ଯାତ୍ରାରେ ସୋନିଆ ଗାନ୍ଧୀ । କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀ କର୍ଣ୍ଣାଟକରେ ଆଜି ଭାରତ ଯୋଡା ଯାତ୍ରା(Bharat Jodo Yatra)ରେ ସାମିଲ ହୋଇଛନ୍ତି । କର୍ଣ୍ଣାଟକର ମାଣ୍ଡିଆରେ ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱରେ ହେଉଥିବା ପଦଯାତ୍ରରେ ସେ ଯୋଗ ଦେଇଛନ୍ତି । ପୁଅ ରାହୁଲଙ୍କ ସହ ସେ ମଧ୍ୟ ଚାଲି ଚାଲି ଯାଇଛନ୍ତି । ତେବେ ଏହି ସମୟରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ଜୋତା ବାନ୍ଧୁଥିବା ଦେଖିବାକୁ ମିଳୁଛି ।

ସେହି ସମୟରେ ଫଟୋ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଦେଖି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଛନ୍ତି ୟୁଜର । ଶଶି ଥରୁର ମା’ପୁଅଙ୍କର ଏହି ବିରଳ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ମା କେବଳ ମା’, ତାଙ୍କର କୌଣସି ବିକଳ୍ପ ନାହିଁ ।

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ସୋନିଆ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଛନ୍ତି । ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଦୀର୍ଘ ଦିନ ପରେ ସୋନିଆ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଗତ କିଛି ନିର୍ବାଚନର ପ୍ରଚାର ଠାରୁ ଦୂରେଇ ରହିଥିଲେ । ଭାରତ ଯୋଡା ଯାତ୍ରା ଆରମ୍ଭ ସମୟରେ ସୋନିଆ ଗାନ୍ଧୀ ବିଦେଶରେ ଚିକିତ୍ସିତ ହେଉଥିଲେ । ସେତେବେଳେ ତାଙ୍କ ମାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଆଉ ସେହି ସମୟରେ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ମଧ୍ୟ ସୋନିଆଙ୍କ ସହ ଇଟାଲୀ ଯାଇଥିଲେ । ସୋନିଆ କିଛି ଦିନ ପୂର୍ବରୁ ଭାରତ ଫେରିଛନ୍ତି ।

ଅଧିକ ପଢନ୍ତୁ: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା; କନ୍ୟାକୁମାରୀରୁ ଆରମ୍ଭ, କାଶ୍ମୀରରେ ଶେଷ

ଆଉ ତା’ପରେ ସୋନିଆ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରାରେ ଭାଗ ନେବା ପାଇଁ ସୋମବାର ଦିନ କର୍ଣ୍ଣାଟକରେ ପହଞ୍ଚିଛନ୍ତି । ବିମାନ ଯୋଗେ କୁର୍ଗ ସ୍ଥିତ ମାଡ଼ିକେରି ଯାଇ ସୋନିଆ ଏକ ଘରୋଇ ରିସୋର୍ଟରେ ରହୁଛନ୍ତି ।

ଅନ୍ୟପଟେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରେ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ । ଏହି ଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ବିଭିନ୍ନ ସହର ଦେଇ ଯିବ । ସବୁ ସ୍ଥାନରୁ କଂଗ୍ରେସର ତୁଙ୍ଗ ନେତା ଓ ବହୁ ସଂଖ୍ୟାରେ କର୍ମୀ ଏହି ଯାତ୍ରାରେ ସାମିଲ ହେବେ ।