୬ ବର୍ଷ ଚାଲିବା ପରେ ଏବେ ହଜିଯିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଲାଗୁହେବ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ନିଜ ସରକାରର ପ୍ରଥମ ବଜେଟରେ ୩ ହଜାର ୫୫୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜ୍ୟର ନିଜସ୍ୱ ପାଣ୍ଠିରେ ଚାଲିବାକୁ ଥିବା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କା ରଖାଯାଇଛି।
Also Read
ବଡ଼ ପ୍ରଶ୍ନ, ନବୀନ ସରକାରରେ ୨୦୧୮ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିବା BSKY ବଦଳରେ କିଭଳି ଲାଗୁହେବ ଦୁଇ ଦୁଇଟି ଯୋଜନା ? କେଉଁ ହିତାଧିକାରୀ କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ? ଉଭୟ ଯୋଜନାର ହିତାଧିକାରୀଙ୍କୁ ମିଳିବ ତ’ ସମାନ ଫାଇଦା ? ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ।
ଏବେ ରାଜ୍ୟରେ ପ୍ରାୟ ୯୬ ଲକ୍ଷ ୫୦ ହଜାର ବିପିଏଲ ଓ ଏପିଏଲ୍ ପରିବାର BSKY ଅଧିନରେ ସ୍ୱାସ୍ଥ୍ୟବୀମା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏ ସମସ୍ତ ପରିବାର ହିଁ ଦୁଇ ନୂଆ ସ୍ୱାସ୍ଥ୍ୟ ବୀମାରେ ସାମିଲ ହେବେ । କେବଳ ବିପିଏଲ୍ଙ୍କ ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ଭାରତରେ BSKYର ପ୍ରାୟ ୬୦ ପ୍ରତିଶତ ହିତାଧିକାରୀ ସାମିଲ ହୋଇଯିବେ। ବଳକା ୪୦ ପ୍ରତିଶତ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ନିଜସ୍ୱ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ସାମିଲ କରାଯିବ।
ଯଦିଓ ଆୟୁଷ୍ମାନ ଭାରତରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ରହିଛି, ରାଜ୍ୟରେ କିନ୍ତୁ ଏହି ଯୋଜନାରେ BSKY ଭଳି ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇବାକୁ ମୋଡାଲିଟି ପ୍ରସ୍ତୁତ କରୁଛି ସ୍ୱାସ୍ଥ୍ୟ ବିଭାଗ। ଏମିତିକି ଉଭୟ ଯୋଜନାର ହିତାଧିକାରୀ ଯେଭଳି ଆୟୁଷ୍ମାନ ଭାରତ ଓ BSKY ଅନୁବନ୍ଧିତ ହସ୍ପିଟାଲରେ ଚିକିତ୍ସା ସେବା ପାଇପାରିବେ, ତାହାର ବି ବ୍ୟବସ୍ଥା ରହିବ।
ପ୍ରଚଳିତ BSKY କାର୍ଡ ବଦଳରେ ହିତାଧିକାରୀଙ୍କ ପାଇଁ ପ୍ରଚଳିତ ହେବ ନୂଆ ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ। ଖୁବ୍ଶୀଘ୍ର ଏହାର ରୂପରେଖ ଚୂଡ଼ାନ୍ତ ହେବ।