• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋରାପୁଟ ଜିଲ୍ଲା ଦାମନଯୋଡ଼ି ବଜାରରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ଖରା ଦୋକାନରୁ ଦୋକାନ ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ଆଉ ପ୍ରଚାରର ମୁଖ୍ୟ ଆକର୍ଷଣ ପାଲଟିଛି ଏଲ୍ଇଡି ଟିଭି । ଯାହାକୁ ଧରି ସେ ସହର ବଜାରଠାରୁ ଆରମ୍ଭ କରି ଗାଁ ଯାଏଁ ଚଳାଇଛନ୍ତି ପ୍ରଚାର ଅଭିଯାନ । ସ୍ୱାର୍ଥୀୟ ପ୍ରାର୍ଥିନୀ ସସ୍ମିତାଙ୍କୁ ଟିଭି ଚିହ୍ନ ମିଳିଥିବାରୁ ଲୋକଙ୍କ ପାଖରେ ସହଜରେ ପହଞ୍ଚିବାକୁ ଏହି ଅଭିନବ ଉପାୟ ଆପଣାଇଛନ୍ତି ସସ୍ମିତା ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭଗବତୀ ଭତରା ହାତରେ ଜୀଅନ୍ତା ମାଛ ଧରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ନିଜ ନିର୍ବାଚନୀ ଚିହ୍ନ ମାଛ ହୋଇଥିବାରୁ ଏହାକୁ ନେଇ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି । ସେହିପରି ହାତରେ ଲଣ୍ଠନ ଧରି ହୋମ୍ କ୍ୟାମ୍ପେନିଂ କରିବାକୁ ଓହ୍ଲାଇଛନ୍ତି ଆଉ ଜଣେ ଉଚ୍ଚଶିକ୍ଷିତ ଯୁବକ । ବିଏ,ଏଲ୍ଏଲବି ଡିଗ୍ରୀ ହାସଲ କରିଥିବା ସୁନ୍ଦରଗଡ ଜିଲ୍ଲା ଝିରିପାଣି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରାମ ତିର୍କି ଏହି ଅଭିନବ ଉପାୟ ଆପଣେଇଛନ୍ତି ।

ଇଏ ଭିନ୍ନ ଏକ ପ୍ରାର୍ଥୀ, ଭିନ୍ନ ତାଙ୍କ ପ୍ରୟାସ ବୟସର ଅପରାହ୍ନରେ ମଧ୍ୟ ଜୋସ୍ ରହିଛି ଜନସେବା ପାଇଁ, ଯାହା ଆଗରେ ହାର ମାନିଛି ବୟସ ଓ ଆର୍ଥିକ ସ୍ଥିତି । ସନାତନ ଦାସ, ପରିଚୟ ରିକ୍ସାବାଲା ହେଲେ ରାଜନୀତି ରଣାଙ୍ଗନକୁ ଓହ୍ଲାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ବାଲେଶ୍ୱର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର ପ୍ରାର୍ଥୀ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

 

୬୦ ବର୍ଷ ଅତିକ୍ରାନ୍ତ କରିସାରିଥିବା ସନାତନ ଛତା ଚିହ୍ନ ମିଳିଥିବାରୁ, ହାତରେ ଛତା ଧରି ବାହାରି ଯାଅନ୍ତି ପ୍ରଚାର କରିବାକୁ । ନିଜର ସ୍ୱଳ୍ପ ସଞ୍ଚିତ ଅର୍ଥ ସହ ଉତ୍ସାହ ଓ ଆଗ୍ରହକୁ ପୁଞ୍ଜି କରି ଜନ ପ୍ରତିନିଧି ହେବାକୁ ମନ ବଳାଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲା ଦେଉଳାପଡ଼ା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଅଞ୍ଜନା ବେହେରା । ଖୋଲା ବହି ଚିହ୍ନ ହୋଇଥିବାରୁ ପବିତ୍ର ଗ୍ରନ୍ଥ ଗୀତାକୁ ଧରି ଘରକୁ ଘର ବୁଲି ଲୋକଙ୍କୁ ଭୋଟ୍ ମାଗୁଥିବାର ଦେଖିବାକୁ ମିଳିଛି ।

ଏପଟେ ମନ୍ଦିର ପୂଜକ ମଧ୍ୟ ରାଜନୀତି ମଇଦାନରେ ପ୍ରବେଶ କରିଛନ୍ତି । ପୁରୀ ଜିଲ୍ଲା ସୁହାଗପୁର ପଞ୍ଚାୟତରେ ଘରେ ଘରେ ପୂଜାପାଠ କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ।