• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାମନଗର ଉପନିର୍ବାଚନ ପାଇଁ ଅଙ୍କକଷା । ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ଚୟନ ନେଇ ଆରମ୍ଭ ହୋଇଛି କସରତ । ନାମାଙ୍କନ ଦାଖଲ ୭ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ । ହାତରେ ଖୁବ୍ କମ ସମୟ ଥିବାରୁ ଜୋର୍ ଧରିଲାଣି ରାଜନୀତି । ତେବେ ପ୍ରାର୍ଥୀ ଚୟନ ନେଇ ସବୁଠୁ ଅଧିକ ଦ୍ୱନ୍ଦ୍ୱ ଚାଲିଛି । ବିଜେଡିରେ ଗୋଷ୍ଠୀ କନ୍ଦଳ ବି ତୀବ୍ର ହେଉଛି ଟିକଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ପାଇଁ ଲବି ଆରମ୍ଭ କରିଛନ୍ତି ।

୨୦୦୯ରେ ଏଠାରେ ବିଜେଡି ଟିକେଟରେ ଜିତିଥିବା ଏବଂ ଗତ ନିର୍ବାଚନରେ ହାରି ଯାଇଥିବା ରାଜେନ୍ଦ୍ର ଦାସ ପୁଣି ଥରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଶାୟୀ । ସେ ଖୋଲାଖୋଲି ଭାବେ ପ୍ରାର୍ଥୀ ହେବା ଇଛା ପ୍ରକାଶ କରୁଛନ୍ତି । ସେପଟେ ୨୦୧୪ରେ ବିଜେଡିର ବିଧାୟକ ଥିବା ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଆଉ ଥରେ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁକ୍ତିକାନ୍ତଙ୍କ ପତ୍ନୀ ମଂଜୁଲତା ମଣ୍ଡଳ ଏବେ ଭଦ୍ରକରୁ ବିଜେଡି ଏମପି ଅଛନ୍ତି । ତେଣୁ ମୁକ୍ତିକାନ୍ତ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ଦଳୀୟ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଛି ।

ସେପଟ ଉଭୟଙ୍କ କଳିରୁ ଅନ୍ୟ ଗୋଷ୍ଠୀ ଫାଇଦା ଉଠାଇବେ ନାହିଁ ତ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ ନୂଆ ଚେହେରା ଭାବେ ରେସରେ ପଶିଛନ୍ତି ଡାକ୍ତର ସଂଜୟ ଦାସ । ତେବେ ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଟାଣୁଆ ନେତା ଅଶୋକ ନାୟକଙ୍କ ସଙ୍ଗଠନ ମଜଭୁତ ଥିବାରୁ ପ୍ରାର୍ଥୀ ଚୟନ ବେଳେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ସମ୍ଭନା ରହିଛି ।

ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପଦ୍ମରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ । ଅନୁକମ୍ପା ମୂଳକ ଭୋଟ୍ ଓ ସଙ୍ଗଠନ ଆଧାରରେ ଦଳ ନିର୍ବାଚନ ଲଢିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ସେପଟେ କଂଗ୍ରେସରେ ବି ଆଶାୟୀଙ୍କ ସଂଖ୍ୟା ଅଧିକ । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ବିଦ୍ୟାଧର ଜେନା ଏଥର ପୁଣି ଲଢ଼ିବାକୁ ଆଶା ରଖିଛନ୍ତି । ସେହିଭଳି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ କିମ୍ବା ତାଙ୍କ ଝିଅ ମଧୁମିତା ସେଠୀ ପ୍ରାର୍ଥୀ ହେବା ପାଇଁ ଆୟୀ ଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ମଧୁମିତା ଭଦ୍ରକ ଲୋକସଭା ଆସନରେ କଂଗ୍ରେସ୍ ଟିକଟରେ ଲଢ଼ି ପରାସ୍ତ ହୋଇଥିଲେ । ତେବେ କଂଗ୍ରେସର ଏକ ଟିମ୍ ଧାମନଗର ଯାଇ ଆଲୋଚନା କରିବା ପରେ ପ୍ରାର୍ଥୀ ଚୂଡାନ୍ତ ହେବ ବୋଲି ଜଣାପଡ଼ିଛି ।

୨୦୦୦  ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପି ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗରରେ ପୁଣି ପଦ୍ମ ଫୁଟାଇଥିଲେ ।