• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ମହାନଗର ନିଗମର କାଉନସିଲ ବୈଠକରେ ହଟ୍ଟଗୋଳ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି ।

ଦୁର୍ଗା ପୂଜା ପୂର୍ବରୁ ବସିଥିବା ବୈଠକରେ ବିଜେପି କର୍ପୋରେଟରମାନେ ବିଭିନ୍ନ ୱାର୍ଡର ସମସ୍ୟା ସଂପର୍କରେ ମେୟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ସିଏମ୍‌ସି ନିର୍ବାଚନ ପରେ ବସିଥିବା ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ଓ ୱାର୍ଡଗୁଡ଼ିକର ସମସ୍ୟା ସମାଧାନ ନ ହେବାକୁ ନେଇ ବିଜେପି କର୍ପୋରେଟରମାନେ ମେୟରଙ୍କୁ ଟାର୍ଗେଟ କରିଥିଲେ । ଏହାକୁ ନେଇ ସଭାଗୃହରେ ଜୋରସୋର୍‌ରେ ହୋ ହଲ୍ଲା ହୋଇଥିଲା ।

ଦଳୀୟ ଭିତ୍ତିରେ ସିଏମ୍‌ସି ଅଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର ଠିକା ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ସଭାସ୍ଥଳୀର ମଧ୍ୟ ଭାଗକୁ ଆସି ଧାରଣା ଦେବା ସହ କଳାପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ପୋରେଟର୍‌ । ମେୟର ସୁବାସ ସିଂ ବୁଝାସୁଝା କରିଥିଲେ ବି ବିଜେପି କର୍ପୋରେଟର ସମସ୍ୟା ସମାଧାନ ଜିଦ୍‌ରେ ଅଟଳ ରହିଥିଲେ ।

ସେହିପରି ୪୬ ନମ୍ବର ୱାର୍ଡର କର୍ପୋରେଟର ଓ ଜଣେ ଅଫିସରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପ୍ରସଙ୍ଗ ଉଠାଇ ବିଜେଡି କର୍ପୋରେଟରମାନେ ମଧ୍ୟ ବୈଠକରେ ହୋ ହଲ୍ଲା କରିଥିଲେ । ତେବେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି ।