• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ହାଇପ୍ରୋଫାଲ୍ ଡ୍ରମା । ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ ଉଦ୍ଧବଙ୍କ ପଲ୍ଲା ଭାରି ପଡ଼ୁଛି ତ କେତେବେଳେ ଏକନାଥ ସିନ୍ଦେଙ୍କ ପଲ୍ଲା ଭାରି ରହୁଛି । ତେବେ ଏହାରି ଭିତରେ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ନୂଆ ନୂଆ ଟ୍ୱିଷ୍ଟ । ଦିନ ଯେତିକି ଗଡୁଛି ସେତିକି ଦ୍ୱନ୍ଦ ବି ବଢୁଛି । ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ଏବେ ବି ସରଗରମ । ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।

ତେବେ ଏହାରି ଭିତରେ ନୂଆ ଫର୍ମୁଲା ନେଇ ମଇଦାନକୁ ଓହ୍ଲାଇଛନ୍ତି ଉଦ୍ଧବଙ୍କ ପତ୍ନୀ ରଶ୍ମୀ ଠାକରେ । ସେ ଉଦ୍ଧବ ଠାକ୍‌ରେଙ୍କ ସହ ଅଧିକାଂଶ ସମୟ ରହୁଛନ୍ତି । ଆଉ ନିଜର ନୁଆ ପ୍ଲାନ୍‌ ଉପରେ କାମ କରୁଛନ୍ତି । କିଭଳି ସରକାର ଭାଙ୍ଗିବା ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ ସେନେଇ ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି । 

ରଶ୍ମୀ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି । ସେ ଲଗାତାର ବିଧାୟକଙ୍କ ପତ୍ନୀମାନଙ୍କ ସହ ଯୋଗଯୋଗ କରୁଛନ୍ତି । ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ମାଧ୍ୟମରେ ସେ ନିଜ କଥା ତାଙ୍କ ପାଖକୁ ପହଞ୍ଚାଉଛନ୍ତି । ଏଥିପାଇଁ ରଶ୍ମୀ ଠାକରେ ମାତୋଶ୍ରୀରୁ ବହୁ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କ ସ୍ୱାମୀଙ୍କୁ ବହୁ ବୁଝାଇବା ପରେ ଉଦ୍ଧବ ଶିବିରକୁ ଫେରିବାକୁ କହିଥିଲେ । ଅନ୍ୟପଟେ ଗୁଆହାଟୀର ହୋଟେଲରେ ଥିବା କିଛି ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ ଠାକରେ ମେସେଜ ପଠାଇ ଫେରି ଆସିବା ପାଇଁ କହିଥିବା ଜଣାପଡିଛି ।

ତେବେ ସେପଟେ ଆଜି ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଡାକିଛନ୍ତି ବୈଠକ । ଗୌହାଟୀ ହୋଟେଲରେ ଦିନ ୧୨ଟା ବେଳେ ଏହି ବୈଠକ ହେବାକୁ ଯାଉଛି । ସିନ୍ଦେ ନିଜ ସପକ୍ଷରେ ଥିବା ବିଧାୟକଙ୍କ ବୈଠକ ଡାକିଥିବା ସୂଚନା ରହିଛି । ମହାରାଷ୍ଟ୍ର ସଙ୍କଟ ନେଇ ଆଗାମୀ ରଣନୀତି ସଂପର୍କରେ ଆଲୋଚନା କରିବେ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ କିଏ ହେବ ଶିବସେନା ଉତ୍ତରାଧିକାରୀ । ଦଳ ଉପରେ ହକକୁ ନେଇ ଜୋରଦାର ହୋଇଛି ଲଢେଇ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ୭ଟି ପ୍ରସ୍ତାବ ପାରିତ ହୋଇଛି । ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ କ୍ଷମତା ଦିଆଯାଇଛି । ବିଦ୍ରୋହୀମାନେ ଶିବସେନା ବାଲାସାହେବ ଠାକରେ ନାଁରେ ସ୍ୱତନ୍ତ୍ର ଦଳ ଗଠନ ଲାଗି ପ୍ରୟାସ କରୁଥିବାରୁ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସେହିପରି ବିଦ୍ରୋହୀଙ୍କୁ କାଉଣ୍ଟର କରିବା ଲାଗି ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଛି ।

ସେପଟେ, ଶିବସେନା ବିଦ୍ରୋହୀ ନେତା ଏକନାଥ ସି‌ନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସଙ୍କୁ ଗତରାତିରେ ଗୁଜରାଟରେ ଭେଟି ମହାରାଷ୍ଟରେ ସମ୍ଭାବ୍ୟ ସରକାର ଗଠନ କରିବା ଲାଗି ଆଲୋଚନା କରିଥିବା କଥା ଜଣାପଡ଼ିଛି । ଏହାପରେ ବି‌ଦ୍ରୋହୀମାନଙ୍କ ବିଶ୍ୱାସଘାତକତାକୁ ଭୁଲି ହେବ ନାହିଁ ବୋଲି ‘ଟିମ୍‌ ଠାକ୍‌ରେ’ କହିଛି ।