• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନତାଙ୍କ ଉପରେ ଚଢ଼ିଲା ନେତାଙ୍କ ଗାଡ଼ି । ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି । ସିଧା ନିଶାନାରେ ଶାସକ ଦଳ । ରାଜ୍ୟର ଛବିକୁ ମଳିନ କଲାଭଳି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଏଭଳି ଅମାନବୀୟ କାଣ୍ଡକୁ ନେଇ ହୁଲସ୍ତୁଲ ରାଜ୍ୟ ରାଜନୀତି । ଏହାକୁ ନେଇ ବିଜେଡିକୁ ଘେରିଛି ବିଜେପି । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଗାଡ଼ି ଚଢ଼ାଇବା ଘଟଣାରେ ଆହତଙ୍କୁ ଭେଟିବା ସହ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ତୀବ୍ର ହମ୍‌ଲା କରିଛନ୍ତି । ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।

ଅନ୍ୟପଟେ ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଯୋଜନାବଦ୍ଧ ଭାବେ ଗାଡ଼ି ମଡ଼ାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦ ଓ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି କାଲି ରାଜ୍ୟବ୍ୟାପୀ ସତ୍ୟାଗ୍ରହକୁ ଓହ୍ଲାଇବାକୁ ଘୋଷଣା କରିଛି । ତେବେ ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି-୬ ମାସ ପୂର୍ବର ଏକ ଘଟଣାରେ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ ଅଛନ୍ତି । ତେଣୁ ଦଳର ସମ୍ବିଧାନ ଅନୁଯାୟୀ, ଆଜିର ତାରିଖରେ ସେ ଦଳରେ ହିଁ ନାହାନ୍ତି ।

 

ଏପଟେ ବିଜେପିର ବହିଷ୍କାର ଦାବି ଉପରେ ପ୍ରେସ୍‌ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଜଗଦ୍ଦେବ ବିଜୁ ଜନତା ଦଳରେ ନାହାନ୍ତି ବୋଲି କହିଛନ୍ତି । ଏପରିକି ସାଂସଦ ପିନାକୀଙ୍କ କଥାକୁ ଉଦ୍ଧାର କରି ଦଳର ସମ୍ବିଧାନ ଅନୁଯାୟୀ ୩ ମାସ ଧରି ଯଦି ଜଣେ ଦଳରୁ ନିଲମ୍ବିତ ରୁହନ୍ତି ତେବେ ତାଙ୍କୁ ବହିଷ୍କାର ଧରାଯାଏ ବୋଲି କହିଛନ୍ତି ସସ୍ମିତ ।

ଏଠି ପ୍ରଶ୍ନ ଉଠୁଛି ଯଦି ଏହା ସତ ତାହେଲେ ଗତ ଜାନୁଆରୀ ୧୮ ତାରିଖରେ ଦଳର ମିଶ୍ରଣ ପର୍ବ ଚାଲିଥିଲା ବେଳେ ଦଳୀୟ କାର୍ଯ୍ୟାଳୟରେ କିଭଳି ବୁଲୁଥିଲେ ବିଧାୟକ ? କେବଳ ସେତିକି ନୁହେଁ, କୁହାଯାଉଛି ନିଲମ୍ବନରେ ଥାଇ ବି ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପରିଚାଳନା ଭାର ବି ପୂରା ତାଙ୍କ ଉପରେ ଥିଲା । ଏବେ ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବୋହିବାକୁ ଯାଉଛି, ନିଜକୁ ବଞ୍ଚାଇବା ଲାଗି ଦଳ ବହିଷ୍କାର ବାହାନା କରୁଛି ବୋଲି ଅଭିଯୋଗ କରିଛି ବିଜେପି ।

ଅପରପକ୍ଷେ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ବାଣପୁର ଯାଇ ବିଧାୟକଙ୍କ ଗାଡ଼ିମଡ଼ା ଘଟଣାରେ ଆହତ ଓ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ । ଘଟଣା ପରଠୁ ସମଗ୍ର ବାଣପୁର ଏନ୍ଏସିରେ ଜାରି ରହିଥିବା ୧୪୪ ଧାରା, ଆଜି ବି ବଳବତ୍ତର ରହିଛି ଏବଂ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଏସ୍‌ପି କହିଛନ୍ତି ।