• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିଥିବା ଅଭିଯୋଗ । କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡିରେକ୍ଟର ଓ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ଅଭିଯୋଗ ହୋଇଛି ।

ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି । ସେପଟେ ଆହତ ଅବସ୍ଥାରେ ଉଭୟ ଅଧିକାରୀ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।

ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର କହିଛନ୍ତି, ମନ୍ତ୍ରୀ ଆମକୁ ପ୍ରୋଟୋକଲ ଜଣାନାହିଁ ବୋଲି କହିଥିଲେ । ଆମେ କହିଥିଲୁ ନିର୍ବାଚନ ସମୟରେ ଫାଇଲ୍ ଧରି ଏଠାକୁ ଆସିବା ବି ଠିକ୍ ନୁହେଁ । ଏତିକିରେ ସେ ରାଗି ଯାଇଥିଲେ । ଜଣଙ୍କୁ ଦଳୀୟ କାର୍ଯ୍ୟାଳୟର ଶଟର ବନ୍ଦ କରିବାକୁ କହିଥିଲେ । ଶଟର ବନ୍ଦ ହେବା ପରେ ସେ ପ୍ରଥମେ ଏକ ଲୁହା ରଡ୍‌ ଉଠାଇଥିଲେ । ପରେ ଏକ ପ୍ଲାଷ୍ଟିକ୍ ଚୌକିରେ ମୋତେ ପିଟିଥିଲେ । ଡାଇରେକ୍ଟର ସାର୍ ତାଙ୍କୁ ଅଟକାଇବାରୁ ତାଙ୍କୁ ବି ମନ୍ତ୍ରୀ ମାଡ଼ ମାରିଥିଲେ । ଯେଉଁ ଚୌକିରେ ଆମକୁ ପିଟିଥିଲେ, ତାହା ପୂରା ଭାଙ୍ଗି ଯାଇଛି । 

ଅଭିଯୋଗ ଅନୁଯାୟୀ, ସମୀକ୍ଷା କରିବା ପାଇଁ ଏହି ଦୁଇ ଅଧିକାରୀଙ୍କୁ ଗତକାଲି ଠାରୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ପ୍ରଥମେ ସର୍କିଟ୍ ହାଉସ୍‌କୁ ଡକା ଯାଇଥିଲା। ପରେ ଦଳୀୟ କାର୍ଯ୍ୟକୁ ଡକାଯାଇଥିଲା। ତେବେ ଏହି ଦୁଇ ଅଧିକାରୀ ଅଫିସ୍‌ରେ ସମୀକ୍ଷା କରାଯାଉ ବୋଲି କହିଥିଲେ। 

OTV is now on Whatsapp

Join and get latest news update delivered to you via whatsapp

Join Now