• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୋଟ୍ ପୂର୍ବରୁ ପାଇକ ରାଜନୀତି । ବିଜେପିର ପାଇକ କାର୍ଡକୁ ମାତ୍ ଦେବାକୁ ବିଜେଡିର ପ୍ଲାନ୍ । ଖୋର୍ଦ୍ଧା ବରୁଣେଇଠାରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ଉଦ୍ୟମ ବେଳେ ରାଜ୍ୟ ସରକାର ବି ତରବରିଆ ଭାବେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପାଇକ ସଂପ୍ରଦାୟର ଭୋଟ ନେବାକୁ ଏଭଳି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

କେନ୍ଦ୍ରର ପାଇକ ସ୍ମାରକୀ ବନାମ୍ ରାଜ୍ୟର ପାଇକ ଏକାଡେମୀ । ରାଜନୀତି ପଶାପାଲିରେ ଗଡ଼ିଲା ପାଇକ ଗୋଟି । ପାଇକ ସମ୍ପ୍ରଦାୟ ଭୋଟ ହାତେଇବାକୁ ଜୋରଦାର କସରତ୍ । ପାଇକଦରଦୀ ଚେହେରା ଦେଖାଇବାକୁ ବିଜେପି-ବିଜେଡି ଟଣାଓଟରା । ୨୦୧୯ ଡିସେମ୍ବର ୮ ତାରିଖ । ଫିରିଙ୍ଗି ଶାସନ ବିରୋଧରେ ପ୍ରଥମ ମୁକ୍ତି ସଂଗ୍ରାମ ଭାବେ ବିବେଚିତ ପାଇକ ବିଦ୍ରୋହର ସ୍ମୃତିକୁ ଚିରକାଳ ଅମର ରଖିବାକୁ ଏଇଦିନ ଖୋର୍ଦ୍ଧା ବରୁଣେଇ ପାଦଦେଶରେ ପଡ଼ିଥିଲା ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତି । ଶିଳାନ୍ୟାସ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ଏହାରି ଭିତରେ ୪ ବର୍ଷ ବିତିବାକୁ ବସିଥିଲେ ବି ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ ସମସ୍ୟାକୁ ନେଇ ଅଟକି ରହିଛି କେନ୍ଦ୍ରର ଏ ପ୍ରକଳ୍ପ । ସ୍ମାରକୀ ପାଇଁ ରାଜ୍ୟ ସରକାରଙ୍କୁ ୫୦ ଏକର ଜମି ଦେବାକୁ କେନ୍ଦ୍ର ଅନୁରୋଧ କରିଥିଲା ।

ହେଲେ ମିଳିଛି ମାତ୍ର ୯ ଏକର ୬୧୦ ଡିସିମିଲ ଜମି । ଗଛ ଓ ବିଜୁଳି ଖୁଣ୍ଟ ସ୍ଥାନାନ୍ତର ହୋଇ ନଥିବାରୁ କାମ ଆଗେଇ ପାରୁନି । ବିଜେପି, ଏଥିପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଅସହଯୋଗ ଅଭିଯୋଗ ଆଣିଥିଲା ବେଳେ ଏପଟେ ରାଜ୍ୟ ସରକାର କିନ୍ତୁ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲାଗି ଘୋଷଣା କରିଛନ୍ତି । ଯେଉଁଥିରେ ପାଇକ ସଂସ୍କୃତିର ପ୍ରଚାର ପ୍ରସାର, ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷାଦାନ, ଗବେଷଣା, ଛାତ୍ରବୃତ୍ତି ଆଦିର ବ୍ୟବସ୍ଥା ରହିଛି । କେବଳ ଘୋଷଣା ନୁହେଁ, ତରବର ହୋଇ ଅସ୍ଥାୟୀ ଭାବେ ଏ କେନ୍ଦ୍ର ଗଡ଼ ଖୋର୍ଦ୍ଧାଠାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ କଡ଼ା ସମାଲୋଚନା କରିଥିଲା ବେଳେ ବିଜେଡି ତାର ଜବାବ ରଖିଛି ।

ଏପଟେ ବିଜେପିର ଅଭିଯୋଗ ଅନୁଯାୟୀ, ପାଇକ ସ୍ମାରକୀ ପାଇଁ କେନ୍ଦ୍ରକୁ ସରକାର ସହଯୋଗ ତ କରୁନାହାନ୍ତି । ଅନ୍ୟପଟେ କିନ୍ତୁ ପାଇକଙ୍କ ପାଇଁ ଘୋଷଣା ହୋଇଥିବା ଅନେକ ପ୍ରକଳ୍ପ ଘୋଷଣାରେ ହିଁ ରହିଯାଇଛି । ଏଇ ଯେମିତି ଖୋର୍ଦ୍ଧାର ପାଇକ ମ୍ୟୁଜିୟମ୍ । ୨୦୧୫ରେ ଉଦ୍‌ଘାଟିତ ଏ ମ୍ୟୁଜିୟମରେ ଏବେ ତାଲା ଝୁଲୁଛି । ଅନ୍ୟପଟେ ଖୋର୍ଦ୍ଧାର ଗୁରୁଜଙ୍ଗଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ୧୯୯୩ରେ ପ୍ରତିଷ୍ଠିତ ପାଇକ ଏକାଡେମୀ ବି ଏବେ ବନ୍ଦ ପଡ଼ିଛି । ଆଉ ଏବେ ପୁଣି ପାଇକ ଏକାଡେମୀ ପ୍ରତିଷ୍ଠା ଘୋଷଣା । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନଚିହ୍ନ ଠିଆ କରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ପାଇକ ଭୋଟ ହାତେଇବାକୁ ଏହା କେବଳ ତୁଚ୍ଛା ଫନ୍ଦି ନୁହେଁ ତ ବୋଲି ପ୍ରଶ୍ନ ଉଠିଛି ।

ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପାଇକ ସପ୍ରଦାୟର ଭୋଟ୍ ବଡ଼ ଗୁରୁତ୍ୱ ରଖୁଛି । ତେଣୁ ନିର୍ବାଚନ ପୂର୍ବରୁ ଏହି ସଂପ୍ରଦାୟର ଭୋଟ୍ ହାତେଇବାକୁ ବିଜେପି ଓ ବିଜେଡି ଭିତରେ ଚାଲିଥିବା ଏ ପ୍ରତିଯୋଗିତା କାହା ପାଇଁ କି ଫଳ ଦେଉଛି ତା ଉପରେ ନଜର ।
 

  • Reported by:
  • BALRAM LENKA , HARIHARA CHAND , JAGDISH DAS