• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୨୪ରେ ଓଡ଼ିଶାରେ ବିଜେପିର ସରକାର ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢୋକ୍ତି ପରେ ବେଶ୍ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ୍ । ତେବେ ସବୁଠାରୁ ଅଧିକ ଚର୍ଚ୍ଚା, ଭୁବନେଶ୍ୱର ପାର୍ଟି ଅଫିସ୍‌ରେ ବିଜେପି ନେତାଙ୍କୁ ଶାହଙ୍କ ଟ୍ୟୁସନ୍‌କୁ ନେଇ । ଦୁର୍ବଳ ସଙ୍ଗଠନ ନେଇ ଶାହ ଅସନ୍ତୋଷ ଝାଡିବା ସହ ସରକାରକୁ କେମିତି ଆସିବେ, ସେ ନେଇ ଫର୍ମୁଲା ବତାଇଥିଲେ । ଆଉ ଆଗାମୀ ୩ ମାସ ପାଇଁ ଟାସ୍କ ବି ଦେଇ ଯାଇଛନ୍ତି । ଏସବୁ ଭିତରେ ବିଜେପି-ବିଜେଡି ମଧ୍ୟରେ ଏବେ ଚାଲିଥିବା ମଧୁର ସଂପର୍କ ସମୀକରଣର ପରିବର୍ତ୍ତନ ହେବ କି? ତାକୁ ନେଇ ଏବେ ଚର୍ଚ୍ଚା ।

କଟକରେ ଅଛେଦିନ୍‌ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍‌ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ । ଏହାପରେ ବେଶ୍ ଉତ୍ସାହିତ ବିଜେପି କ୍ୟାଂପ୍ । ଛୋଟ କଥା, କିନ୍ତୁ ବଡ଼ ଇସାରା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପାର୍ଟି ଅଫିସ୍‌ରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା ମାନସମନ୍ଥନ ।

ରାଜ୍ୟରେ ଦଳର ଦୁର୍ବଳ ସଙ୍ଗଠନ ନେଇ ଶାହ କ୍ଷୋଭ ପ୍ରକାଶ କରିଥିଲେ । ଆଉ କ୍ଷମତାକୁ ଆସିବା ପାଇଁ ବିଜୟ ମନ୍ତ୍ର ଦେଇଥିଲେ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୧୭ ପଂଚାୟତ ନିର୍ବାଚନ ତୁଳନାରେ ୨୦୨୨ରେ ସିଟ୍ କମିବା ଓ ପୂର୍ବ ଟାସ୍କ ସଠିକ୍ ଭାବେ କାର୍ଯ୍ୟକାରୀ କରିନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ଶାହ । କଡ଼ା ଟକ୍କର ଦେବାକୁ ହେଲେ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବା ଉପରେ ଜୋର୍ ଦେଇଥିଲେ କହିଥିଲେ । ଗାଁ, ୱାର୍ଡ ଓ ବୁଥ୍‌ ସ୍ତରରେ ସଙ୍ଗଠନକୁ ମଜଭୁତ୍ କରିବାକୁ ହେବ ।

 

ଏଥିସହ ଜଣେ ବିଧାୟକଙ୍କୁ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଜଣେ ସାଂସଦଙ୍କୁ ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନେବାକୁ ଶାହ ପରାମର୍ଶ ଦେଇଛନ୍ତି । କାନ୍ଥରେ ପଦ୍ମଫୁଲ ଆଙ୍କିବା, ଓଡ଼ିଶାର ଗର୍ବ ତଥା ଜନଜାତି ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଶାହ । ସେ ଏହା ବି ସ୍ପଷ୍ଟ କରିଛନ୍ତି, ବିଜେଡି ସହ ବୁଝମଣା ହେବ ନାହିଁ । ଏନେଇ କାହା ମନରେ କିଛି ବି ସନ୍ଦେହ ରହିବା ଉଚିତ୍ ନୁହେଁ । ତେଣୁ ସରକାର ବିରୋଧୀ ହାୱା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ଶାହ । 

ସେପଟେ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଛକାପଞ୍ଝା ରାଜାନୀତି । ଗତକାଲି କଟକ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟକ୍ରମରେ ବିଜେପି ଓ ବିଜେଡି କର୍ମୀ ସ୍ଳୋଗାନ୍‌କୁ ନେଇ ମୁହାଁମୁହିଁ ହୋଇଥିଲେ । ଫଳରେ ଧର୍ମେନ୍ଦ୍ରଙ୍କୁ ପରିସ୍ଥିତି ସମ୍ଭାଳିବାକୁ ପଡ଼ିଥିଲା । ଏସବୁ ଭିତରେ ବିଜେପିର ୨୦୨୪ରେ ସରକାର ଗଠନ ଏକ ଦିବାସପ୍ନ ବୋଲି ବିଜେଡି କହିଛି । କଂଗ୍ରେସ୍ ପ୍ରଶ୍ନ କରିଛି, ମିଶନ୍ ୧୨୦ କୁଆଡ଼େ ଗଲା?

ରାଜନୈତିକ ସମୀକ୍ଷକଙ୍କ ମତରେ ୨୦୧୯ ନିର୍ବାଚନ ପରେ ବିଜେଡି-ବିଜେପି ମଧ୍ୟରେ ଚାଲିଆସିଥିବା ମଧୁର ସଂପର୍କରେ ଏବେଠାରୁ ପରିବର୍ତ୍ତନ ହୋଇପାରେ । ଆଗକୁ ସଧାରଣ ନିର୍ବାଚନ ଥିବାରୁ ସମୀକରଣ ବଦଳିବ ବୋଲି ଆକଳନ କରାଯାଉଛି ।

ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାରେ ମିଶନ୍ ୧୨୦ ଲକ୍ଷ୍ୟ ରଖିଥିଲେ । ପରେ ଜେପି ନଡ୍ଡା ୫୦ ପ୍ରତିଶତ ଭୋଟ୍ ଟାର୍ଗେଟ ରଖିଛନ୍ତି । ଏହା କେତେଦୂର ପୂରଣ ହେବ ତା ଉପରେ ନଜର ରହିଛି ।

ରିପୋର୍ଟର- ସୌମ୍ୟରଂଜନ ସାହୁ, ହରିହର ଚାନ୍ଦ