• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡ଼ା ଟକ୍କର

  • ଗୋଆରେ ବିଜେପିର ଟକ୍କର ମୁଖ୍ୟ ବିରୋଧୀ କଂଗ୍ରେସ ସହ

ଉତ୍ତରାଖଣ୍ଡ ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ସରିଛି ପ୍ରଚାର ପର୍ବ । ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି ଯେ, ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ଯଥାଶୀଘ୍ର ୟୁନିଫର୍ମ ସିଭିଲ୍ କୋଡ୍ ପ୍ରଚଳନ କରିବ ।

ସେପଟେ ଗୋଆରେ ବିଜେପି ପାଇଁ ଏଥର ଲିଟମସ ଟେଷ୍ଟ ହେବାକୁ ଯାଉଛି । କାରଣ ଦଳ ସେଠାରେ ପ୍ରଥମ ଥର ପାଇଁ ବିନା କୌଣସି ମେଣ୍ଟରେ ମୈଦାନକୁ ଓହ୍ଲାଇଛି । ବିଜେପିର ଟକ୍କର ମୁଖ୍ୟ ବିରୋଧୀ କଂଗ୍ରେସ ସହିତ ହେବାକୁ ଯାଉଥିବା ବେଳେ ଶିବସେନା-ଏନସିପି ମେଣ୍ଟ, ଆମ୍ ଆଦମୀ ପାର୍ଟି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସେପଟେ ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଏଥର ବି ହେଭିୱେଟଙ୍କ କ୍ୟାମ୍ପେନରେ କମ୍ପିଛି ୟୁପି । ତିନି ପ୍ରମୁଖ ଦଳ ବିଜେପି, ସମାଜବାଦୀ ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଆସନ୍ତାକାଲି ପଶ୍ଚିମ ୟୁପିର ୯ଟି ଜିଲ୍ଲାର ୫୫ଟି ସିଟରେ ଭୋଟ୍ ଗ୍ରହଣ ହେବ, ଯେଉଁଥିରେ ଶାହରନପୁର, ଶାହାଜାହାନପୁର, ବରେଲୀ ଭଳି ସିଟ୍ ରହିଛି । ଗତ ୧୦ ତାରିଖରେ ପ୍ରଥମ ପଯର୍ୟାୟ ନିର୍ବାଚନ ହୋଇଥିଲା, ଯେଉଁଥିରେ ୬୦% ମତଦାନ ହୋଇଛି ।

ଅନ୍ୟପଟେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣା ସାମାନ୍ୟ କୋହଳ କଲେ ଭାରତୀୟ ନିର୍ବାଚନ କମିଶନ । ପୂର୍ବରୁ ସକାଳ ୮ରୁ ରାତି ୮ଟା ଯାଏଁ ପ୍ରଚାର ପାଇଁ ଅନୁମତି ଥିବା ବେଳେ, ଏବେ ଏହି ଅବଧିକୁ ଆଉ ୪ ଘଣ୍ଟା ବୃଦ୍ଧି କରାଯାଇଛି । ଏଣିକି ସକାଳ ୬ଟାରୁ ରାତି ୧୦ଟା ଯାଏ ହୋଇପାରିବ ନିର୍ବାଚନ ପ୍ରଚାର । ଏଥିସହ ପ୍ରଚାର ବେଳେ ପଦଯାତ୍ରା ପାଇଁ ମଧ୍ୟ ଅନୁମତି । ରାଜନୈତିକ ଦଳମାନେ ଖୋଲା ସ୍ଥାନରେ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କୋଭିଡ୍ ପ୍ରଟୋକଲ୍ ସହ ରାଲି ଓ ଜନସଭା କରିପାରିବେ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ।