• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାମନଗର ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ନଭେମ୍ବର ୩ରେ ଭୋଟ୍, ୬ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ଘୋଷଣା ହୋଇଛି ତାରିଖ । ତେବେ ଅକ୍ଟୋବର ୭ରେ ଏଥିପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ । ଏହାପରେ ନଭେମ୍ବର ୬ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ଖାଲି ହୋଇଛି । ତେଣେ ଉପନିର୍ବାଚନ ଲାଗି ତାରିଖ ପ୍ରକାଶ ପାଇବା ପରେ ବିଜେପି ଓ ବିଜେଡି ଆରମ୍ଭ କରିଛନ୍ତି ପ୍ରସ୍ତୁତି । ସେପଟେ କଂଗ୍ରେସ ବି ହୋମ ଓ୍ୱାର୍କ ଆରମ୍ଭ କରିଛି ।

କାହାର ହେବ ଧାମନଗର? ଗଡ଼ ବଜାୟ ରଖିବ ବିଜେପି ନା ଅନ୍ୟ ଉପନିର୍ବାଚନ ଭଳି ଏଠି ବି ବିଜେଡି ଧସେଇ ପଶିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଧାମନଗର ଉପନିର୍ବାଚନ ଉଭୟ ଦଳଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବୋଲି କୁହାଯାଉଛି । ଏପଟେ ନଭେମ୍ବର ୩ରେ ମତଦାନ ନେଇ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ପରେ ବଢିଛି ତତ୍ପରତା । ପାଗ ଭିଡିବା ଆରମ୍ଭ କରିଛନ୍ତି ବିଜେପି ଓ ବିଜେଡି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଗଡ଼ରେ ପ୍ରତିଦ୍ୱଦ୍ୱିତା ଜୋରଦାର ହେବା ଆଶା କରାଯାଉଛି ।

ତେବେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଗୁରୁମନ୍ତ୍ରକୁ ନେଇ ଉତ୍ସାହିତ ରହିଛି ବିଜେପି ଶିବିର । କଳେ ବଳେ କୌଶଳେ ଉପନିର୍ବାଚନ ଜିତୁଥିବା ଶାସକ ଦଳକୁ ପରାଜିତ କରିବା ଲାଗି ଦଳ ରଣନୀତି ପ୍ରସ୍ତୁତ କରୁଛି । ଏପଟେ ବିଜେଡି ମଧ୍ୟ ଚିରାଚରିତ ଢଙ୍ଗରେ ଅଲ ଆଉଟ୍ ଆକ୍ରମଣ ଲାଗି ସଜ ହେଉଛି । ତେଣୁ କଡା ଟକ୍କର ଅପେକ୍ଷାରେ ରହିଛି ଧାମନଗର ।

୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀ ୪ ହଜାର ୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରିଥିଲେ । ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ସେତେବେଳେ ବିଜେପିକୁ ସୁହାଇଥିବା କୁହାଯାଉଛି । ତେଣୁ ଏଥର ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଶାସକ ଦଳ । ଏଣେ ବ୍ରଜରାଜନଗର ଉପ ନିର୍ବାଚନରେ ଭୋଟ ପରିମାଣ ବଢିବା ସହ ଦଳୀୟ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିବାକୁ ନେଇ ଉତ୍ସାହିତ କଂଗ୍ରେସ ଶିବିର । ବ୍ରଜରାଜନାଗର ଭଳି ଧାମନଗରରେ ଭଲ ପ୍ରଦର୍ଶନ ଲାଗି ଆଶା ରଖିଛି ସର୍ବ ପୁରାତନ ରାଜନୈତିକ ଦଳ ।

୨୦୨୪ ସାଧାରଣ ନିର୍ବାଚନକୁ ପାଖାପାଖି ଦେଢ ବର୍ଷ ବାକି ଅଛି । ଓଡ଼ିଶାରେ କ୍ଷମତା ଦଖଲ ଲକ୍ଷ୍ୟରେ ଥିବା ବିଜେପି ପାଇଁ ଧାମନଗର ଅଗ୍ନି ପରୀକ୍ଷା ହେବାକୁ ଯାଉଛି । ଅନ୍ୟପକ୍ଷରେ ନିଜ ଦବଦବା ଜାହିର ଲାଗି ଶାସକ ବିଜେଡି ପାଇଁ ଧାମନଗର ଉପନିର୍ବାଚନ ଆଉ ଏକ ଚ୍ୟାଲେଞ୍ଜ । ତେବେ ଧାମନଗରବାସୀ କାହା ଉପରେ ସୁନା କଳସ ଢାଳୁଛନ୍ତି ତା ଉପରେ ରହିଛି ନଜର ।