• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଏହି ଅଧିବେଶନ । ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ ।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ । ତେବେ ଏହି ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।

ସେପଟେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୬ଟାରେ ବୈଠକ ବସିବ ବୋଲି ଜଣାପଡିଛି । ବିଧାନସଭାର ୫୪ ନମ୍ବର ହଲରେ ହେବ ବୈଠକ । ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ହେଉଥିବାରୁ ଶାସକ ଦଳ ଭାବେ ବିଜେପି କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକରେ ଆଲୋଚନା ହୋଇପାରେ ।

ସେହିଭଳି ବିରୋଧୀଙ୍କ ମୁକାବିଲା କରିବା ଲାଗି ମଧ୍ୟ ରଣନୀତି ପ୍ରସ୍ତୁତି କରାଯିବ । ସେପଟେ ଉପବାଚସ୍ପତି, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ବଛା ଯାଇ ନ ଥିବାରୁ ସେମାନଙ୍କ ନାଁ ଉପରେ ମଧ୍ୟ ଆଲୋଚନା ହୋଇପାରେ । ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ।

ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ଏଣୁ ଅଭିଯୋଗ ଶୁଣାଣି ବନ୍ଦ ରହିବ । ବିଧାନସଭା ଆରମ୍ଭ ହେଉଥିବାରୁ ଆସନ୍ତାକାଲିର ଅଭିଯୋଗ ଶୁଣାଣି ବନ୍ଦ ଥିବା ସୂଚନା ଦେଇଛି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ । ରାଜ୍ୟରେ ବିଜେପିର ନୂଆ ସରକାର ଗଠନ ହେବା ପରେ ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now