• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍ । ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା ।

ତେବେ ନିର୍ବାଚନ କେବେ କରାଯାଇ ପାରିବ ସେନେଇ ପ୍ରସ୍ତାବ ରଖିବାକୁ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ କହିଥିଲେ କୋର୍ଟ । ଆଉ ଆଜି ପଂଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରତ୍ୟାହର ପାଇଁ କୋର୍ଟଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାର କହିଛନ୍ତି ଯେ, ସଂରକ୍ଷଣ ନେଇ ଆସନ୍ତା ୨୭ ତାରିଖରେ ସାନି ତାଲିକା ପ୍ରକାଶ କରାଯିବ ।

ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୫ ସୁଦ୍ଧା ଅଭିଯୋଗର ସମାଧାନ ହେବ ଏବଂ ୭ ତାରିଖରେ ସଂରକ୍ଷଣର ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯିବ । ଏହାପରେ ରାଜ୍ୟ ନିର୍ବାଚନ ଆୟୋଗ ବାକି ପ୍ରକ୍ରିୟା ସାରି ନିର୍ବାଚନ ତାରିଖ ଘୋଷଣା କରିବେ ।  କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ସାରିବାକୁ ।

ତେବେ କୋର୍ଟକୁ ସାନି ତାଲିକା ପ୍ରକାଶ ପାଇଁ ସରକାର ଜଣାଇବା ପରେ ଏବେ ପୁଣି ମୂଳରୁ ବଦଳିବ ସଂରକ୍ଷଣ ତାଲିକା । ପୁଣିଥରେ ପଞ୍ଚାୟତ ସ୍ତରରୁ ପ୍ରକ୍ରିୟା କରିବାକୁ ପଡ଼ିବ । କାରଣ କୌଣସି ଅଞ୍ଚଳରେ ପଛୁଆବର୍ଗଙ୍କ ସଂଖ୍ୟା କେତେ ? ତାଙ୍କ ପାଇଁ କେତେ ସଂରକ୍ଷଣ ଆବଶ୍ୟକ ? ପଛୁଆବର୍ଗ କମିଶନ୍‌ଙ୍କ ମାଧ୍ୟମରେ ଟିକିନିଖି ତଥ୍ୟ ଆସିବା ପରେ ଯାଇ ଓବିସି ସଂରକ୍ଷଣ କରାଯାଇ ପାରିବ ବୋଲି ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେ ଦୃଷ୍ଟିରୁ ରାଜ୍ୟ ସରକାର ସଂରକ୍ଷଣ ତାଲିକାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ନୂଆ ସଂରକ୍ଷଣ ତାଲିକା ଅନୁସାରେ କେବଳ ଅନୁସୂଚିତ ଜାତି, ଜନଜାତି, ସାଧାରଣବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ କିନ୍ତୁ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ରହିବ ନାହିଁ ।

ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ରାଜ୍ୟ ସରକାର ପଂଚାୟତ ଆଇନ ଗୁଡ଼ିକରେ ସଂଶୋଧନ କରିଥିଲେ । ସେହି ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏବେ ପୂରା ବଦଳିବାକୁ ଯାଉଛି ଏହି ବ୍ୟବସ୍ଥା ।