• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭୟମୁକ୍ତ ନିର୍ବାଚନ ପାଇଁ ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

  • ମତଦାନବେଳେ ହିଂସାକୁ ନେଇ ତେଜିଲା ରାଜନୀତି

ବୁଥ କ୍ୟାପ୍ଚରିଂ, ରିଗିଂ, ଟଙ୍କା ବଣ୍ଟା ଓ ହିଂସାକାଣ୍ଡ ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଏଭଳି ଗଣ୍ଡା ଗଣ୍ଡା ଘଟଣା ଦେଖିବାକୁ ମିଳିଛି, ଯାହାକି ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଏସବୁ ଭିତରେ ଆସନ୍ତାକାଲି ପଡ଼ିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ କେମିତି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହେବ ତାହା ଏକ ବଡ଼ ଚାଲେଞ୍ଜ ।

ଆରମ୍ଭରୁ ଅଶାନ୍ତି କେଉଁଠି ଗୋଷ୍ଠୀ ସଂଘର୍ଷ, କେଉଁଠି ହାତାହାତି, ତ କେଉଁଠି ହିଂସାକାଣ୍ଡ, ଖୁଲମଖୁଲା ବୁଥ ଜବରଦଖଲର ଚିତ୍ର । ଏସବୁ ଘଟୁଥିଲା ପୋଲିସ୍ ଉପସ୍ଥିତିରେ । ଢେଙ୍କାନାଳ ଗଦିଁଆ ବ୍ଲକ ଅନ୍ତର୍ଗତ ନିହଲପ୍ରସାଦ ଗ୍ରାମ ପଞ୍ଚାୟତର ଖୋଲାଖୋଲି ଭାବେ ବୁଥ୍ ରିଗିଂ ଓ କ୍ୟାପ୍ଚରିଂ କରିଥିଲେ ଦୁର୍ବୃତ୍ତ । ପୋଲିଂ ଷ୍ଟାଫଙ୍କୁ ମାଡ ମାରିବାକୁ ମଧ୍ୟ ପଛାଇନାହାଁନ୍ତି ।

ଯାଜପୁରରେ ଗତକାଲି ଘଟିଥିବା ବୁଥ୍ ରିଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ମୋଟ୍ ୧୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ କଣାସରେ ଘଟିଥିବା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିବା ସହ ସଙ୍ଗୀନ ଦଫା ବି ଲଗାଇଛି ।

ସେପଟେ ନିର୍ବାଚନୀ ହିଂସା ଉପରେ ବି ଲାଗି ପାରୁନି ରୋକ୍ । ଆସ୍କା, ଜଳେଶ୍ୱର, ଭଣ୍ଡାରୀପୋଖରୀରୁ ଆସିଛି ନିର୍ବାଚନୀ ହିଂସାଜନିତ ଖବର । ସେପଟେ ଢେଙ୍କାନାଳ ସଦର ବ୍ଳକ୍ ସାଙ୍କୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ଗତକାଲି ରାତିରୁ ନିଖୋଜ ଅଛନ୍ତି । ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

ଖାଲି ରାଜନୈତିକ ହିଂସା ନୁହେଁ, ପ୍ରତିଥର ଭଳି ଏଥର ମଧ୍ୟ ଭୋଟ୍ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଟଙ୍କା ବଣ୍ଟାର ମାଳ ମାଳ ଅଭିଯୋଗ ବି ଆସୁଛି । ଆଳିରେ ତ ଜଣେ ହାଇସ୍କୁଲ୍ ଶିକ୍ଷକ ଟଙ୍କା ବାଣ୍ଟୁଥିବାରୁ ଭିଜୁଆଲ୍ ଭାଇରାଲ୍ ହୋଇଛି। ଝାରସୁଗୁଡା ଲଖନପୁର କଣ୍ଢେଇକେଲା ଗାଁରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆସିଛି ।

ଆଉ ଏପଟେ ବ୍ରହ୍ମପୁରରୁ ବି ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଥିବାରୁ ଭିଡିଓ ସାମନାକୁ ଆସିଛି । ଅନ୍ୟପଟେ କଟକ ବଡ଼ମ୍ବାରେ ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିବାକୁ ଯାଇ ହଟ୍ଟହଟ୍ଟା ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳର ଉପସଭାପତି ଆୟୁଷ୍ମାନ ପଟ୍ଟନାୟକ । ସେପଟେ ଅନ୍ଧାରିବିଜେ ସମୟରେ ଖୋଦ୍ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ତେବେ ଅଭିଯୋଗ ନେଇ ଆୟୁଷ୍ମାନ କିମ୍ବା ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ମାଳ ମାଳ ଭୋଟ୍ ହିଂସା ଅଭିଯୋଗ ଆସିବା ପରେ ଆଗକୁ କିପରି ଶୃଙ୍ଖଳିତ ନିର୍ବାଚନ ହୋଇପାରିବ, ସେଥିପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା । ଗତକାଲି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ, ଆହୁରି ୪ ପର୍ଯ୍ୟାୟ ନିର୍ବାଚନ ବାକି ଥିବାରୁ ହିଂସାମୁକ୍ତ ନିର୍ବାଚନ ପରିଚାଳନା କମିଶନରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି ।