ଖୁବଶୀଘ୍ର ରାଜ୍ୟର ଖାଲି ପଡ଼ିଥିବା ସମସ୍ତ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି କୋର କମିଟି ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ସେ କହିଛନ୍ତି, ନିଗମ, ବୋର୍ଡ, କମିଶନ ଓ ଜିଲ୍ଲା ପ୍ଳାନିଙ୍ଗ ବୋର୍ଡକୁ ନେଇ ବୈଠକରେ ଆଲୋଚନା ହୋଇଛି । ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ମାସ ଶେଷ ସୁଦ୍ଧା ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏହାଛଡା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି । ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନ ଓ ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ଆଲୋଚନା ହୋଇଛି । ସରକାର ଓ ସଂଗଠନ ଭିତରେ କେମିତି ସମନ୍ୱୟ ଭଲଭାବେ ରହିବ ସେନେଇ ମଧ୍ୟ ଆଜି କୋର୍ କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ସେପଟେ କିଏ ହେବେ ରାଜ୍ୟ ବିଜେପି ସଭାପତି ? କାହାକୁ ଏହି ଦାୟିତ୍ବ ଦେବ ଦଳ ? ଏହି ଚର୍ଚ୍ଚା ଆଲୋଚନା ଭିତରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ଦିଲ୍ଲୀ ନିର୍ବାଚନ ପାଇଁ ନାଁ ଘୋଷଣା ବିଳମ୍ବ ହୋଇଥିଲା । ତେବେ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ଥିବା ମନମୋହନ ସାମଲଙ୍କୁ ଦଳ ପୁଣି ରିପିଟ୍ କରିବ ନା ହାଇକମାଣ୍ଡ ନୂଆ ଚେହେରାକୁ ଦାୟିତ୍ୱ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ନୂଆ ରାଜ୍ୟ ସଭାପତି ନେଇ ବିଜେପି କୋର୍ କମିଟି ବୈଠକରେ କୌଣସି ଆଲୋଚନା ହୋଇନଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।