• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି । ବିଜେଡିକୁ ପଛରେ ପକାଇ ମୋଟ୍‌ ୮୦,୩୫୧ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ । ସେପଟେ ସୂର୍ଯ୍ୟବଂଶୀଙ୍କ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ଥାନୀୟ ନେତା ଓ କର୍ମୀ । ଏନେଇ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍।

ଏପଟେ ଧାମନଗରରେ ପଛେଇ ଯାଇଛି ବିଜେଡି । ରାଜୁ ଫ୍ୟାକ୍ଟର ବିଜେଡି ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଫଳରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ସୂର୍ଯ୍ୟବଂଶୀ ସୂରଜଙ୍କ ଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ସେହିପରି ଏଥର ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦୀ ଥିବା ରାଜେନ୍ଦ୍ର ଦାସ ନିଜର ଦବଦବା ଜାହିର କରିବାରେ ଫେଲ୍ ମାରିଛନ୍ତି । ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ତିନି ନମ୍ବରରେ ରହିଥିଲେ ମଧ୍ୟ ସେ ହାତେଇଥିବା ଭୋଟ୍ ବିଜେଡି ଭୋଟ୍ ବିଭାଜନର କାରଣ ବୋଲି କୁହାଯାଉଛି। 

ସଂକ୍ଷେପରେ ସୂର୍ଯ୍ୟବଂଶୀ . . .

ଭଦ୍ରକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମାଟ୍ରିକ୍ ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରୁ ବିଟେକ୍ କରିଛନ୍ତି ସୂର୍ଯ୍ୟବଂଶୀ । ଏହାପରେ ଭଦ୍ରକ ଲ କଲେଜରୁ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିଲେ । ଧାମରାର ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଥିବା ସୂର୍ଯ୍ୟ, ବାପା ବିଷ୍ଣୁ ସେଠୀଙ୍କ ସହ କାମ କରିବାକୁ ଧାମନଗରକୁ ଫେରିଥିଲେ । ବଡ଼ ଚାକିରିକୁ ଛାଡ଼ି ଲୋକଙ୍କ ସେବା କରିବାକୁ ମନ ସ୍ଥିର କରିଥିଲେ । ବାତ୍ୟା ହେଉ ଅବା କରୋନା ସବୁ ବେଳେ ସବୁ ପରିସ୍ଥିତିରେ ଲୋକଙ୍କ ସହ ଥିଲେ । ଭଦ୍ରକ ଜିଲ୍ଲାରେ ଯୁବ ସଂଗଠନକୁ ମଜଭୂତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ସୂର୍ଯ୍ୟ । ଯୁବ ବିଜେପିର ରାଜ୍ୟ ସଂଯୋଜକ ଥିବା ସୂର୍ଯ୍ୟବଂଶୀ ଜିଲ୍ଲାରେ ଯୁବ ଚେହେରା ଭାବେ ବେଶ୍ ଜଣାଶୁଣା ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟ ହେବା ପରେ ଧାମନଗର ଆସନ ବିଜେପି ଭାଗରେ ପଡିଥିଲା । ହେଲେ ବିଜେପି ମନମୋହନ ସାମଲଙ୍କୁ ହରାଇ ସ୍ୱାଧୀନ ପ୍ରାର୍ଥୀ ମାନସ ମଲ୍ଲିକ ବିଜୟୀ ହୋଇଥିଲେ । ପରେ ୨୦୦୪ରେ ବିଜେପିର ମନମୋହନ ସାମଲ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହେଲା ପରେ ସେଠାରୁ ବିଜେଡିର ରାଜେନ୍ଦ୍ର ଦାସ ବିଜୟୀ ହୋଇଥିଲେ । ସେହିପରି ୨୦୧୪ରେ ବିଜେଡିର ମୁକ୍ତିକାନ୍ତ ମଣ୍ଡଳ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବିଜେପିର ବିଷ୍ଣୁ ସେଠୀ ମାତ୍ର ୪ ହଜାର ୬୨୫ ଖଣ୍ଡ ଭୋଟରେ ବିଜେଡିର ରାଜେନ୍ଦ୍ର ଦାସଙ୍କୁ ପରାସ୍ତ କରି ଧାମନଗରରେ ପୁଣି ପଦ୍ମ ଫୁଟାଇଥିଲେ । ଆଉ ବାପାଙ୍କ ପରେ ପୁଅ ପୁଣି ଧାମନଗରରେ ପଦ୍ମ ଫୁଟାଇବାରେ ସଫଳ ହୋଇଛନ୍ତି ।