• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜ୍ୟନୀତିରେ ହଟ ଚମଟ । ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ ଆଉ ଭୋଟ୍ ପ୍ରତିଶତ ପହଞ୍ଚିବ ୪୫ ପ୍ରତିଶତରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଜାତୀୟ ଗଣମାଧ୍ୟମରେ ଦେଇଥିବା ଏଇ ବିବୃତିକୁ ନେଇ ଆଲୋଚନା ଆଉ ପର୍ଯ୍ୟାଲୋଚନା ଜୋର୍ ଧରିଛି । ଅନ୍ୟପଟେ କଂଗ୍ରେସ ଓ ଶାସକ ବିଜେଡି କିନ୍ତୁ ଧର୍ମେନ୍ଦ୍ରଙ୍କ ଏହି ସମୀକରଣକୁ ଆଦୌ ଗ୍ରହଣ କରିନାହାନ୍ତି ।

ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ସେତିକି ନୁହେଁ, କାହିଁକି ଭୋଟ୍ ହାର ବଢିବ ତାର ସମୀକରଣ ବି ବତାଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିଥିଲା ୨୨ ପ୍ରତିଶତ ଭୋଟ୍ । ଯାହା ୨୦୧୯ରେ ୩୮ ପ୍ରତିଶତରେ ପହଞ୍ଚିଥିଲା । ସେହି ହାରରେ ୨୦୨୪ରେ ଦଳକୁ ୪୫ ପ୍ରତିଶତରୁ ଅଧିକ ଭୋଟ୍ ମିଳିବ ବୋଲି ଆଶା ରଖିଛି ବିଜେପି ।

ସେହିପରି ବିଧାନସଭା ନିର୍ବାଚନ କଥା ଦେଖିଲେ ୨୦୧୪ରେ ଦଳକୁ ମିଳିଥିବା ୧୮ ପ୍ରତିଶତ ଭୋଟ୍ ବଢି ୨୦୧୯ରେ ୩୨ ପ୍ରତିଶତରେ ପହଞ୍ଚିଥିଲା । ୨୪ ନିର୍ବାଚନକୁ ଆଉ ୪ ମାସ ବାକି ଥିବାବେଳେ ରାଜନୀତିରେ ୩ ମାସ ସମୟ ଯଥେଷ୍ଟ ବୋଲି ବିଶ୍ୱାସର ସହ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ଧର୍ମେନ୍ଦ୍ରଙ୍କ ଗଣିତକୁ ନେଇ ରାଜ୍ୟ ରାଜନୀତି ହଲଚଲ୍ । କଂଗ୍ରେସ ଏହାକୁ ଦିବା ସ୍ୱପ୍ନ କହିଥିବା ବେଳେ ବିଜେଡି କହିଛି ଆମ ସିଟ୍ ସଂଖ୍ୟା ସହ ଭୋଟ୍ ପ୍ରତିଶତ ବି ବଢିବ ।

୨୦୧୪ରେ ଓଡ଼ିଶାରୁ ଲୋକସଭାକୁ ବିଜେପିର ଜଣେ ମାତ୍ର ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ବଢି ୮ରେ ପହଞ୍ଚିଲା । ଅନ୍ୟପକ୍ଷରେ ଗତ ନିର୍ବାଚନରେ ଏକାଧିକ ସଂସଦୀୟ କ୍ଷେତ୍ରରେ ବିଜେପି କ୍ଲୋଜ୍ କଣ୍ଟେଷ୍ଟର ସାମ୍ନା କରିଥିଲା । ପୁରୀରେ ୧୧ ହଜାର ୭୧୪ ଖଣ୍ଡ ଭୋଟ୍, ଭଦ୍ରକରେ ୨୮ ହଜାର ୮୦୩, ଢେଙ୍କାନାଳରେ ୩୫ ହଜାର ୪୧୨ ଖଣ୍ଡ ଭୋଟ୍ ବ୍ୟବଧାନରେ ଦଳ ପରାଜିତ ହୋଇଛି ।

ଅପରପକ୍ଷେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୪୦ ସିଟ୍‌ରେ ୫ହଜାରରୁ ୧୦ ହଜାର ଭୋଟ୍ ମାର୍ଜିନରେ ପରାଜିତ ହୋଇଥିଲେ ବିଜେପି ପ୍ରାର୍ଥୀ । ତେବେ ଏସବୁ ନିର୍ବାଚନ ମଣ୍ଡଳୀରେ କୋର୍ସ କରେକସନ୍ କରି ଦଳ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି । ସେଥିଲାଗି ଦଳ ଗାଁ କୁ ଚାଲ ଅଭିଯାନ ଆରମ୍ଭ କରିଛି । ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି-ବିଜେପି ସଂପର୍କ ଦ୍ୱନ୍ଦ୍ୱ ଦୂର କରି ଷ୍ଟ୍ରାଟେଜି ପରିବର୍ତ୍ତନ କରି ଲଢିବା ଦଳ ପାଇଁ ପ୍ରମୁଖ ଚାଲେଞ୍ଜ ହୋଇପାରେ ।

]ନିର୍ବାଚନ ପାଖେଇବା ସହ ରାଜନୈତିକ ହଟ ଚମଟ ଆରମ୍ଭ ହୋଇଯାଇଛି । ତେବେ ଧୀରେ ଧୀରେ ରାଜ୍ୟରେ କାୟା ବିସ୍ତାର କରୁଥିବା ବିଜେପି ଓଡିଶାରେ ସରକାର ଗଠନ କରିବାରେ କେତେ ସଫଳ ହେଉଛି ତାଉପରେ ନଜର ।

  • Reported by:
  • JAGDISH DAS , SOUMYA RANJAN SAHOO