mohan
ଆଉ ପ୍ରାୟ ମାସକ ପରେ ଜୁନ ୧୨ରେ ମୋହନ ସରକାରକୁ ପୂରିବ ବର୍ଷେ। ପ୍ରଥମ ବର୍ଷରେ ସରକାର କେଉଁଠି ପାସ୍, କେଉଁଠି ଫେଲ୍? କେତେ ପ୍ରତିଶ୍ରୁତି ପୂରଣ ହୋଇଛି ଆଉ କେତେ ବାକି ଅଛି? ସଫଳତାର ତାଲିକା ପ୍ରସ୍ତୁତ କରି ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବାକୁ ଆରମ୍ଭ ହୋଇଛି ସରକାରୀ ପ୍ରସ୍ତୁତି। ଅନ୍ୟପଟେ ପ୍ରଥମ ବର୍ଷରେ ଅନେକ ବିବାଦ, ଆଉ ପୂର୍ବ ପ୍ରତିଶ୍ରୁତି ଅନୁସାରେ ବିଜେଡି ଉପରେ ନୋ-ଆକ୍ସନ ନୀତି ବି ସରକାରଙ୍କୁ ଅଡୁଆରେ ପକାଇଛି।
ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !
ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର? ଆଉ କେତେ ପାଇପ ଲାଇନରେ ଅଛି?.. ସରକାରଙ୍କ ସଫଳତାରେ ତାଲିକାରେ ରହିଛି ବହୁ ଚର୍ଚ୍ଚିତ ସୁଭଦ୍ରା, ଆୟୁଷ୍ମାନ ଭାରତ, ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବସିଡ୍, ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ରତ୍ନ ଭଣ୍ଡାର ସହ ଚାରି ଦ୍ୱାର ଖୋଲିବା। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ବଜେଟରେ ୧୬ଟି ନୂଆ ଯୋଜନା କରିଛନ୍ତି ମୋହନ ସରକାର। ଏହା ବାଦ୍ ଡବଲ ଇଞ୍ଜିନ ସରକାରର ଉପଲବ୍ଧି, ରାଜ୍ୟରେ ବଡ ବଡ କେନ୍ଦ୍ରୀୟ ଇଭେଣ୍ଟ ସଫଳତାର ସହ କରିବାରେ ସକ୍ଷମ ହୋଇଛନ୍ତି। ପୁରୀରେ ନୌସେନା ଦିବସ, ଭୁବନେଶ୍ୱରରେ ପୁଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ ସହ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଲେଭ କରି ୧୬ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି କରିବା ବି ସରକାରଙ୍କ ବଡ ସଫଳତା ବୋଲି କୁହାଯାଉଛି। ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ପ୍ରସ୍ତୁତିରେ ଏବେ ଲାଗି ପଡିଛନ୍ତି।
ଏହା ବାଦ୍ ବର୍ଷକ ଭିତରେ ନୂଆ ସରକାର କିଛି ବିବାଦରେ ଫସିଛନ୍ତି, ପୁଣି କିଛି ପ୍ରସଙ୍ଗରେ ଝୁଣ୍ଟିଛନ୍ତି। ରଥଯାତ୍ରା ବେଳେ ବଡ଼ ଠାକୁର ପଡିଯିବା, ରାଜଭବନ କର୍ମଚାରୀଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗ, ଚିକିଟି ମଦ ମୃତ୍ୟୁ, ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀକୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ, ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇ ମୃତ୍ୟୁ, ବାରବାଟୀ ଆନ୍ତର୍ଜାତିକ ମ୍ୟାଚ୍ ବେଳେ ଫ୍ଳଡ୍ ଲାଇଟ୍ ଲିଭିିଯିବା, କିଟ୍ ବିଶ୍ୱବିଦ୍ୟାଳୟରେ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ବି ସରକାରକୁ ଅଡୁଆରେ ପକାଇଛି। ଅନ୍ୟପଟେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ, ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଭତ୍ତା ବୃଦ୍ଧି ଭଳି ପ୍ରତିଶ୍ରୁତି ବି ଅପେକ୍ଷାରେ ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିର୍ବାଚନ ବେଳେ ବିଜେଡି ସରକାର ବିରୋଧରେ ବିଜେପି, ପୁଳା ପୁଳା ଦୁର୍ନୀତି ଆଉ କେଳେଙ୍କାରୀ ଅଭିଯୋଗ ଆଣି ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ତା ଉପରେ ଆକ୍ସନ କେବେ ତାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଖଣି ଦୁର୍ନୀତି, ବ୍ଲାକରୋଜ୍ ବୁଡି, ଚିଟଫଣ୍ଡ ତଦନ୍ତ, ସରକାରୀ କଳ ଆଉ ଟଙ୍କାର ପାଣ୍ଡିଆନଙ୍କ ଦ୍ୱାରା ଅପବ୍ୟବହାର ଏସବୁ ଉପରେ କିନ୍ତୁ ସରକାରୀ ନିଷ୍କ୍ରିୟତା ଚର୍ଚ୍ଚାର ବିଷୟ ରହିଛି।
ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ହୋଇଛି ଉଚ୍ଚସ୍ତରୀୟ ବୈଠକ। ୧୧୫ଟି ସହରାଞ୍ଚଳ ସହ ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରେ ପାଳନ ହେବ ବର୍ଷ ପୂର୍ତ୍ତି ଉତ୍ସବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mohan_1746291523.jpg)