• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ? ଗତ ୧୬ ତାରିଖରେ ଗୁଇନ୍ଦା ବିଭାଗ ସେପ୍ସାଲ ବ୍ରାଂଚ ଏନେଇ ଚିଠି ଲେଖି ସରକାରଙ୍କୁ ଅବଗତ କରିଥିଲା । ସେଥିରେ ସ୍ପଷ୍ଟ ଲେଖାଥିଲା ବିକ୍ଷୋଭ ପାଇଁ ରାଜଧାନୀରେ ଏକାଠି ହେବେ ୪୦ ହଜାରରୁ ଅଧିକ ଡ୍ରାଇଭର୍ ।

ସେମାନେ ଛୋଟ ଛୋଟ ଭାଗରେ ବିଭକ୍ତ ହୋଇ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ବିଧାନସଭା ଓ ଲୋକସେବା ଭବନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଶିବେ । ଗୁଇନ୍ଦା ସ୍ପେଶାଲ ବ୍ରାଂଚ ପକ୍ଷରୁ ସମସ୍ତ ଜିଲ୍ଲାର ଏସ୍‌ପି, କଟକ, ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନରଙ୍କୁ ଇ-ମେଲ୍ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଥିଲା । ୧୮ତାରିଖ ଆନ୍ଦୋଳନ, କାହା ନେତୃତ୍ୱରେ ହେବ, କେଉଁ ଜିଲ୍ଲାରୁ କେତେ ଲୋକ କେମିତି ଭୁବନେଶ୍ୱର ଆସିବେ ସେ ସଂପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା ।

ଏତେ ସଂଖ୍ୟକଙ୍କ ଆନ୍ଦୋଳନକାରୀଙ୍କୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନେଇ ବି ସତର୍କ କରାଇ ଦେଇଥିଲା ଗୁଇନ୍ଦା ବିଭାଗ । ଏତେ ସବୁ ସୂଚନା ଥିବା ସତ୍ତ୍ୱେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ପାଇଁ କାହିଁକି ଓ କେମିତି ଅନୁମତି ଦିଆଗଲା । ଯଦି ଦିଆଗଲା କମିଶନରେଟ ପୋଲିସ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରନିଥିଲା । ଟ୍ରାଫିକ୍ ସୁପରିଚାଳନା ଲାଗି କାହିଁକି ବ୍ୟବସ୍ଥା ହୋଇନଥିଲା । ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଡ୍ରାଇଭର୍ ସଂଘ ଉପରେ ଦୋଷ ଲଦି ଡିସିପି ମୁଣ୍ଡରୁ ଦୋଷ ଓହ୍ଲାଇ ଦେବାକୁ ଉଦ୍ୟମ କରିଛନ୍ତି ।

ତେଣେ ଡ୍ରାଇଭରଙ୍କ ଆନ୍ଦୋଳନ ବେଳେ ରାଜଧାନୀରେ ମହା ବିଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେହିପରି ଡ୍ରାଇଭରଙ୍କ ଦାବିକୁ ସମର୍ଥନ ଜଣାଇଥିଲେ ବି ସେମାନଙ୍କ ଆଚରଣକୁ ନିନ୍ଦା କରିଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ସରକାର ପ୍ରାୟୋଜିତ ଥିଲା ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ପୋଲିସ ସଂପୂର୍ଣ୍ଣ ଫେଲ ମାରିଥିବା କଂଗ୍ରେସ କହିଥିବା ବେଳେ ବିଜେଡି ସଫେଇ ଦେଇ କହିଛି ବିଳମ୍ବରେ ଜାଣିଲୁ ।

ସେପଟେ ଡ୍ରାଇଭର ସଂଘରେ ଏକତାର ଅଭାବ ଥିବା ଗତକାଲି ଆନ୍ଦୋଳନ ବେଳେ ହିଁ ସ୍ପଷ୍ଟ ହୋଇଯାଇଥିଲା । ଆଜି ଷ୍ଟିୟରିଂ ଛାଡ଼ କରିବାକୁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଡାକରା ଦିଆଯାଇଥିଲା, ମାତ୍ର ଦିନ ତମାମ ଗାଡିମୋଟର ସ୍ୱାଭାବିକ ଚଳାଚଳ କରୁଥିବା ବେଳେ ଷ୍ଟିୟରିଂ ଛାଡ଼ର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା ।