• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସକୁ ଜବରଦସ୍ତ କାଉଣ୍ଟର । ସତ୍ୟାଗ୍ରହ କରି ବିଜେପିର ପ୍ରତିବାଦ । ରାଜଧାନୀରୁ ରାଉରକେଲା ସମ୍ବଲପୁରରୁ ବାଲେଶ୍ୱର ପ୍ରତି ମଣ୍ଡଳରେ ବିଜେପିର ସତ୍ୟାଗ୍ରହ । ଅଭିଯୋଗ ଏୟା ଯେ, ଶାସକ ଦଳର ରାଜନୈତିକ ଅପରାଧୀକରଣ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ମହିଳା ବିରୋଧୀ ଅପରାଧ ସହ ଶିଶୁ ଅପହରଣ ଓ ମୃତ୍ୟୁ ମାମଲା ବୃଦ୍ଧି । ତାଠୁ ସାଂଘାତିକ ହେଲା ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ନିଜର ବିଧାୟକ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା । ବିଶେଷ କରି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ତାତିଛି ବିଜେପି ।

ଭୁବନେଶ୍ୱରରେ କଳ୍ପନା ଛକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହରେ ବସିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜଭବନ ମୁହାଁ ହୋଇଥିଲେ ବିଜେପି ବିଧାୟକ ଦଳ । ଚାଲି ଚାଲି ଯାଇ ରାଜ୍ୟପାଳଙ୍କୁ ଭେଟି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି ଜଣାଇଥିଲେ । ସ୍ୱତନ୍ତ୍ର ଅଧିବେଶନରେ କେବଳ ଆଇନଶୃଖଂଳା ସ୍ଥିତି ନେଇ ଆଲୋଚନା ହେଉ ଏବଂ ସରକାର ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲା ବିଜେପି ବିଧାୟକ ଦଳ ।

ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସର ଦିନକ ପରେ ପୁରୀ ସଂସଦୀୟ କ୍ଷେତ୍ର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ବାଣପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ଏଥିସହ କନ୍ଧମାଳ ତୁମୁଡିବନ୍ଧ ଯାଇ ପ୍ରଥମେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସଂସ୍କୃତ କନ୍ୟାଶ୍ରମ ବିଲ୍ଡିଂ ଉଦ୍‌ଘାଟନ କରିବେ । ପରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ।

ନିଜର ପ୍ରଥମ ଗସ୍ତ ବେଳେ ରାଜ୍ୟ ସରକାରଙ୍କୁ ଯେଉଁ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ ଏଥର ବି ସେହି ଢଙ୍ଗରେ ଚାର୍ଗେଟ କରିପାରନ୍ତି ବିଜେପି ଅଧ୍ୟକ୍ଷ । ସେଥିପାଇଁ ଫୁଲ୍ ଜୋଶରେ ଦଳ । ଏହା ସହ ସଂସଦୀୟ କ୍ଷେତ୍ରରେ ଦିଆଯାଇଥିବା ଟାକ୍ସର ମଧ୍ୟ ସମୀକ୍ଷା କରିବେ । କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନର ସ୍ଥିତି ସଂପର୍କରେ ଆଲୋଚନା କରିବେ । ୨୪ ପାଇଁ ସମୟ କମ୍ ଥିବାରୁ ଆଉ କିଛି ଟାକ୍ସ ମଧ୍ୟ ଦେଇପାରନ୍ତି । ତେବେ ପଦ୍ମପୁର ପରାଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦ୍ୱିତୀୟ ଗସ୍ତ । ବିଜେପିକୁ କେତେ ବଳ ଦେବ ତା ଉପରେ ନଜର ।