• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହୋହଲ୍ଲା । ବିରୋଧୀଙ୍କ ହଟ୍ଟଗୋଳ । ଆରମ୍ଭରୁ ହୋହଲ୍ଲା ପରେ ଗୃହ ମୁଲତବି । ଆଜି ବିଧାନସଭାର ତୃତୀୟ ଦିନ ବି ହଟ୍ଟଗୋଳରୁ ଆରମ୍ଭ । ଫଳରେ ବିଧାନସଭାରେ ଅଚଳାବସ୍ଥା । ହୋହଲ୍ଲା ଯୋଗୁଁ ଦିନ ସାଢେ ୧୧ ଯାଏଁ ପ୍ରଥମେ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପରେ ପୁଣି ଗୃହ ଆରମ୍ଭ ହେବା ପରେ ସେହି ସମାନ ସ୍ଥିତି ଦେଖା ଦେଇଥିଲା । ମମିତା ପ୍ରସଙ୍ଗରେ କଂଗ୍ରେସ, ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ତେଣୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।

ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚେତାବନୀ ଦେଇଛନ୍ତି ।

ଦିବ୍ୟଶଙ୍କରଙ୍କ ପ୍ରବେଶ ଯୋଗୁଁ ବିଧାନସଭାର ପବିତ୍ର ଗୃହ ଅପବିତ୍ର ହୋଇଥିବା ଦଳ ଅଭିଯୋଗ କରିଛି । ଏଥିପାଇଁ ଗୃହ ବାହାରେ ବିଜେପିର ବିଧାୟକମାନେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରିଛନ୍ତି । ସେହିପରି କଂଗ୍ରେସ ସଦସ୍ୟମାନେ ମଧ୍ୟ ମମିତା ପ୍ରସଙ୍ଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ।

ତେବେ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଘଟଣାରେ ବିଜେପିର ଅଭିନବ ପ୍ରତିବାଦ । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ପ୍ରତିବାଦ କରୁଛି ଦଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ବିଜେପି । 

ଗୃହ ଭିତରେ ବିରୋଧୀ ଶାସକ ଦଳକୁ ଘେରିଥିବା ବେଳେ ବିଜେଡି ମଧ୍ୟ ଏହାକୁ କାଉଣ୍ଟର କରୁଛି । ଏଥିପାଇଁ ଦରଦାମ ବୃଦ୍ଧିକୁ ନେଇ ଗତ ୩ ଦିନ ହେଲା ଧାରଣା ଦେଉଛି ବିଜେଡି । ରାଜଭବନ ଆଗରେ ଧାରଣା ଦେଇଛନ୍ତି ଶତାଧିକ ବିଜେଡି କର୍ମୀ । ଏଥିରେ ଦଳର ପ୍ରମୁଖ ନେତାମାନେ ସାମିଲ ହୋଇଛନ୍ତି ।