• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନଡ୍ଡା ଆସିଲେ ଆଉ ବର୍ଷିଲେ । ବିଜେପି କର୍ମୀଙ୍କୁ ବି ଟାସ୍କ ଦେଲେ । ଓଡ଼ିଶାରେ ସରକାର ଗଠନ ଲାଗି କର୍ମୀଙ୍କୁ ପଢ଼େଇଲେ ପାଠ। ତାସହ ଭୋଟରଙ୍କ ଆସ୍ଥା ଭାଜନ ଲାଗି ବତେଇଲେ ବାଟ । ତେଣୁ ନଡ୍ଡାଙ୍କ ଗସ୍ତ ପରେ ଉତ୍ସାହିତ ବିଜେପି କ୍ୟାମ୍ପ । ଅନ୍ୟପଟେ ବିଜେଡି କହିଛି ନଡ୍ଡାଙ୍କ ଗସ୍ତ ରାଜ୍ୟ ରାଜନୀତିରେ କିଛି ବି ପ୍ରଭାବ ପକାଇବନି । ସେପଟେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ପଚାରିଛି ୧୮ଟି ପ୍ରଶ୍ନ ।

ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ସଭାମଞ୍ଚରୁ ଅଫିସର ରାଜ୍, ସରକାର କିଏ ଚଲାଉଛି, ଆବାସ ଯୋଜନାରେ ହେରଫେର ଓ ପିସି କାରବାର ଭଳି ଅଭିଯୋଗର ଫର୍ଦ୍ଦ ରଖିଲେ । ତା’ସହ କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର । ପୁରୁଣା ପାଠର ହିସାବ ବି ନେଲେ । ନଡ୍ଡା ବୁଥ୍ ମଜବୁତକୁ ପୁଣିଥରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା କାର୍ଯ୍ୟକର୍ତ୍ତାଙ୍କ ଏ ଦିଗରେ କାର୍ଯ୍ୟକ୍ରମ କେତେ ଆଗେଇଛି ତାର ବି ତଦାରଖ କରିଛନ୍ତି ।

ସେହିପରି ମୋଦି ସରକାରର ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା, କେନ୍ଦ୍ରୀୟ ଯୋଜନାକୁ କିପରି ରାଜ୍ୟ ହାଇଜାକ୍ କରୁଛି ସେନେଇ ଭୋଟରଙ୍କୁ ସଚେତନ କରେଇବା, ପିସି କାରବାର ପ୍ରସଙ୍ଗ ନେଇ ପ୍ରତି ଘରକୁ ଯିବାକୁ ଟାସ୍କ ଦେଇଛନ୍ତି । ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ । ଏହାପୂର୍ବରୁ ନଡ୍ଡା ରାଜ୍ୟ ସରକାରଙ୍କୁ ଖୋଲାମଞ୍ଚରୁ ଶାଣିତ ଆକ୍ରମଣ କରିଥିବାରୁ ରାଜ୍ୟ ବିଜେପି ଶିବିର ଏବେ ପୁରା ସକ୍ରିୟ ।

ସେପଟେ ନଡ୍ଡାଙ୍କ ଆକ୍ରମଣକୁ ସହଜରେ ହଜମ କରିପାରିନି ଶାସକ ବିଜେଡି । ଦଳ କହିଛି ନଡ୍ଡାଙ୍କ ଥିଓରୀ ଓଡିଶାରେ କାମ ଦେବନି । ରାଜ୍ୟରେ ଶାସନ କେମିତି ଚାଲିଛି ତାହା ଓଡ଼ିଶାବାସୀ ଜାଣିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି, ବେକାରୀ ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପଚାରିଛି ୧୮ଟି ପ୍ରଶ୍ନ ।

ରାଜନୈତିକ ସମୀକ୍ଷକଙ୍କ ମତରେ ପୂର୍ବରୁ ବି ନଡ୍ଡା ଏସବୁ ପ୍ରସଙ୍ଗ ଉଠାଇ ରାଜ୍ୟ ଉପରେ ବର୍ଷିଛନ୍ତି । ଏଥର ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଏଠାରେ କିଭଳି ଆଭିମୁଖ୍ୟ ନେଇ ଲଢିବ ତାକୁ ସେ ସ୍ପଷ୍ଟ କରିଛନ୍ତି । ତେବେ ଏହି ସଞ୍ଜୀବନୀ କର୍ମୀଙ୍କୁ କେତେ ସକ୍ରିୟ କରୁଛି ଓ କେତେ ସଫଳତା ଆଣୁଛି ତାହା ବଡ ଚାଲେଞ୍ଜ । ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ବି ଚର୍ଚ୍ଚା ଜୋର ଧରିଛି । ଏମିତିରେ ନଡ୍ଡାଙ୍କ ମନ୍ତ୍ର କେତେ କାମ କରୁଛି ତାହା ଦେଖିବା କଥା ।

  • Reported by:
  • HARIHARA CHAND , JAGDISH DAS