• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତରପ୍ରଦେଶ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଲୋକସଭା ନିର୍ବାଚନ ପାଇଁ ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ପାଇଁ ସେ ଗସ୍ତ କରିଛନ୍ତି । ତାଙ୍କୁ ଲକ୍ଷ୍ନୌରେ ଭବ୍ୟ ସ୍ୱାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ପ୍ରଦେଶ ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ଦଳର ବରିଷ୍ଠ ମନ୍ତ୍ରୀ ଓ ନେତା ।

ଉତ୍ତରପ୍ରଦେଶ ଲକ୍ଷ୍ନୌରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉପସ୍ଥିତ ରହିବେ ବୈଜୟନ୍ତ । ସୁଧାଂଶୁ ତ୍ରିବେଦୀ, ଆରପିଏନ୍ ସିଂ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ।

ପରେ ପରେ ୨୦୨୪ ନିର୍ବାଚନକୁ ନେଇ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୈଜୟନ୍ତ । କର୍ମୀଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି । ୨୪ ଲଢ଼େଇ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛି ବିଜେପି । ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଲେକ୍ସନ ଇନଚାର୍ଜ ଓ କୋ-ଇନଚାର୍ଜଙ୍କ ନାଁ ଘୋଷଣା କରାଯାଇଛି ।

ଦେଶର ସବୁଠାର ବଡ଼ ରାଜ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭରସା କରିଥିଲା ଦଳ । ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଏହା ବୈଜୟନ୍ତଙ୍କ ପ୍ରଥମ ଗସ୍ତ । ତେଣୁ ବୈଜୟନ୍ତ ସମସ୍ତ ନେତା ଓ କର୍ମୀଙ୍କ ସହ ୨୪ ନିର୍ବାଚନ ବୈତରଣୀ ପାର୍‌ ହେବା ନେଇ ଆଲୋଚନା କରିପାରନ୍ତି । ବିଭନ୍ନ ଦିଗକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟକୁ ବିଜେପିର ନେତା ଓ କର୍ମୀ ପହଞ୍ଚିବାକୁ ପ୍ରୟାସ କରାଯାଇପାରେ ବୋଲି କୁହାଯାଉଛି ।