ଦିଲ୍ଲୀ ବିଲ୍କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଅଯାଚିତ ସମର୍ଥନକୁ ସମାଲୋଚନା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର । ଲୋକସଭାରେ ସେ କହିଛନ୍ତି ଯେ ‘ବିଲ୍କୁ ଆମେ ସାମ୍ବିଧାନିକ ଦୃଷ୍ଟିକୋଣରୁ ସମର୍ଥନ କରିଛୁ । ବିଜେପିକୁ ଆମେ ଖୋଲା ସମର୍ଥନ କରିନୁ । ରାଜ୍ୟରେ ବିଜେପି ଆମର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସଂପୂର୍ଣ୍ଣ ମୂଳପୋଛ ହୋଇଗଲାଣି । ଆମେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ରଖିଛୁ’ ।
ଗତକାଲି ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନା ପରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସାସଂଦ ପିନାକୀ ମିଶ୍ର । ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍କୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଜାତୀୟ ରାଜନୀତି ହଲ୍ ଚଲ୍। ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା, କାହିଁକି ମୋଦି ସରକାରକୁ ଆଖିବୁଜି ସପୋର୍ଟ କଲା ବିଜେଡି ? ସମଦୂରତା କଥା କହୁଥିବା ବିଜେଡି ଏଭଳି କରିବା ପଛର କାରଣ କଣ ? କୌଣସି ଚାପ ନା ଅନ୍ୟ କିଛି କାରଣ ରହିଛି ?
ମୋଦି ସରକାରକୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଅଡୁଆରେ ବିଜେଡି । ଦଳର ଆଭିମୁଖ୍ୟକୁ କଡ଼ା ଭାଷାରେ ବିରୋଧୀଙ୍କ ନିନ୍ଦା । ଜାତୀୟ ସ୍ତରରେ ବି ବିଜେଡିକୁ ବିରୋଧୀ ମେଣ୍ଟର ଟାର୍ଗେଟ୍ । କେଉଁ ବାଧ୍ୟବାଧକତାରୁ ବିଜେଡି ସମର୍ଥନ କଲା, ସେନେଇ ଉଠିଲା ପ୍ରଶ୍ନ ।
Also Read
ଦିଲ୍ଲୀ ସେବା ବିଲ୍ ସଂଘୀୟ ବ୍ୟବସ୍ଥାର ବିରୁଧାଚରଣ କରୁଥିବା ଅଭିଯୋଗ ହେଉଥିବା ବେଳେ କାହିଁକି ବିଜେଡିର ସମର୍ଥନ ? ଏଭଳି କିଛି ପ୍ରଶ୍ନ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ ମେଣ୍ଟର ପ୍ରମୁଖ ଦଳ। ଆପ୍, କଂଗ୍ରେସ୍ ଓ ଶିବସେନା- ଉଦ୍ଧବ ଗୋଷ୍ଠୀ ବିଜେଡି ଉପରେ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରିଛି, ସମ୍ବିଧାନ ବିରୋଧୀ ବିଲକୁ କାହିଁକି ବିଜେଡି ସମର୍ଥନ କଲା, କଣ ବାଧ୍ୟବାଧକତା ଅଛି ? ଯେଉଁମାନେ ଏହି ବିଲ୍କୁ ସମର୍ଥନ କରୁଛନ୍ତି ସେମାନେ ରାଷ୍ଟ୍ର ବିରୋଧୀ ବୋଲି କହି କଡ଼ା ସମାଲୋଚନା କରିଛି ଆପ୍।
ସେପଟେ କେଉଁ ମେରିଟ୍ରେ ବି ଜେଡି ସମର୍ଥନ କଲା ବୋଲି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି। ଶିବସେନା- ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଦିଲ୍ଲୀ ଭଳି ସ୍ଥିତି ଆଗକୁ ଅନ୍ୟ ରାଜ୍ୟର ବି ହେବ। ତେଣୁ ସେମାନେ ଏହି ବିଲ୍କୁ ବିରୋଧ କରିବା କଥା।