Advertisment

କ୍ଷମତାରେ ଥିଲା ବେଳେ ପଚାଲିଲେନି, ଏବେ ଛାୟା କ୍ୟାବିନେଟ୍ ଢାଞ୍ଚା..!

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

author-image
Satyendu Shekher Mishra
undefined

Odisha Politics

ନବୀନଙ୍କ ବ୍ରିଟିଶ ମଡେଲ୍ । ୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ । ବିଭାଗୱାରୀ ଦାୟିତ୍ୱ ବାଣ୍ଟିଲେ, ନଜର ରଖିବାକୁ ନିର୍ଦ୍ଦେଶ ଦେଲେ । ଗତକାଲି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ସରକାରର ବିଭିନ୍ନ ବିଭାଗ ଦାୟିତ୍ୱ ଦେଇଛନ୍ତି। ପ୍ରତିଟି ବିଭାଗୀୟ ହଲ୍‌ଚଲ୍ ଉପରେ ବିଜେଡି ବିଧାୟକଙ୍କୁ ନଜର ରଖିବାକୁ କୁହାଯାଇଛି। ଦାୟିତ୍ୱ ପାଇବା ପରେ ବିଧାୟକମାନେ ତର୍ଜମା ବି ଆରମ୍ଭ କଲେଣି। ଉଦ୍ଦେଶ୍ୟ, ସରକାରରେ ଯେପରି ସବୁ କିଛି ସ୍ୱଚ୍ଛ ଭାବେ ଚାଲିବ ଏବଂ ନବୀନ ସରକାରରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ କିପରି ପୂରଣ ହେବ।

Advertisment

ତେବେ ଶାସକ ବିଜେପି ଏଭଳି ନିଷ୍ପତ୍ତିର କଡ଼ା ସମାଲୋଚନା କରି କହିଛି, ଏ ନିଷ୍ପତ୍ତି ତାମିଲ ବାବୁଙ୍କର। ଦଳ ସରକାରରୁ ଚାଲିଯାଇଥିଲେ ବି ହ୍ୟାଙ୍ଗ୍ ଓଭର୍ ଏଯାଏ ଯାଇନି । କଂଗ୍ରେସ କହିଛି, ଏହା କେବଳ ଆଇ ୱାସ୍।

ସେପଟେ କ୍ଷମତାରେ ଥିଲା ବେଳେ ଅଫିସର ରାଜ୍ ଚଳାଇଥିବା ବିଜେଡି ଏବେ କ୍ଷମତାରୁ ଗଲା ପରେ ଛାୟା କ୍ୟାବିନେଟ୍ ଢାଞ୍ଚା ଆପଣାଇବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ସରକାରରେ ଥିଲା ବେଳେ କାହିଁକି ଗୌଣ ଥିଲା ଜନ ପ୍ରତିନିଧିଙ୍କ ଭୂମିକା? କାହିଁକି ମନ୍ତ୍ରୀ କି ବିଧାୟକଙ୍କର ନିଷ୍ପତ୍ତି ନେବାର ସ୍ୱାଧୀନତା ନଥିଲା ? ଜନତାଙ୍କ ଦ୍ୱାରା ନିର୍ବାଚିତ ନହେଇ ବି କେମିତି ପାଣ୍ଡିଆନ୍ ବନିଥିଲେ ମନ୍ତ୍ରୀ ବିଧାୟକଙ୍କଠୁ ପାୱାରଫୁଲ୍ ?

Advertisment

ଏକଦା ପାଣ୍ଡିଆନଙ୍କୁ ସ୍ୱାଗତ କରିବାକୁ ଟେଣ୍ଟ ଭିଡୁଥିବା ଜନପ୍ରତିନିଧିଙ୍କୁ ଏବେ କେମିତି ବିଶ୍ୱାସକୁ ନେଇ ପାରୁଛନ୍ତି ନବୀନ ? ଏହା ଭରସା ନା  ବାଧ୍ୟବାଧକତା ? ଏସବୁ ଭିତରେ କେବଳ ବିରୋଧୀ ନୁହେଁ ଦଳ ଭିତରୁ ବି ଆସିଛି ସମାଲୋଚନାର ସ୍ୱର। ବିସ୍ଫୋରକ ମନ୍ତବ୍ୟ ରଖି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି, ପୂର୍ବରୁ ଯଦି ଏମିତି ହୋଇଥାନ୍ତା ଆମକୁ ଆଜି ବିରୋଧୀ ଦଳରେ ବସିବାକୁ ପଡ଼ି ନଥାନ୍ତା।

ସେହିପରି ନବୀନ ସରକାରରେ ଗଣଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ସମୀର ଦାଶ ବି ବିଜେଡିରେ ଚାଲିଥିବା ଏକଛତ୍ରବାଦ ନୀତିର ଖୁଲାସା କରିଛନ୍ତି । ସେତେବେଳେ ବିଧାୟକ ଛାଡ଼ନ୍ତୁ ମନ୍ତ୍ରୀଙ୍କ କଥା ବି ଶୁଣାଯାଉ ନଥିଲା। ଏମିତିକି କାର୍ଯ୍ୟରେ ଅବହେଳା ପାଇଁ ଅଫିସରଙ୍କ ବିରୋଧରେ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା ବୋଲି କହିଛନ୍ତି ସମୀର।

ଏପଟେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ପରାଜୟ ପରେ ବିଜେଡିର ଏବେ ବୁଦ୍ଧି ପଶିଛି। ହେଲେ କ୍ଷମତାର ବିକେନ୍ଦ୍ରୀକରଣ ଉଦ୍ଦେଶ୍ୟରେ ଦଳ ଜନସମାଜରେ ଯେଉଁ ବାର୍ତ୍ତା ଦେବାକୁ ଚାହୁଁଛି ସେଥିରେ ସଫଳ ହେବା କାଠିକାର ପାଠ।

BJD BJP Congress Odisha Politics
Advertisment
Advertisment