• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଦିବାସୀ ପ୍ରୀତି ନା ମଧ୍ୟପ୍ରଦେଶ ଆଉ ଛତିଶଗଡ଼ ନିର୍ବାଚନ ଫଳ ଭୟ । ସଂସଦରେ ସସ୍ମିତ ପାତ୍ରଙ୍କ ଆଦିବାସୀ ପ୍ରସଙ୍ଗରେ ଦାବିକୁ ନେଇ ଉଠିଲା ପ୍ରଶ୍ନ । ଚର୍ଚ୍ଚା ହେଉଛି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଆଦିବାସୀ ଭୋଟ୍ ହିଁ ନେଇଥିଲା ମୁଖ୍ୟ ଭୂମିକା । ଯାହା ବିଜେପି ସପକ୍ଷରେ ଯାଇଥିଲା । ଏପଟେ ରାଜ୍ୟରେ କିନ୍ତୁ ଆଦିବାସୀ ଜମି ବିକ୍ରି ନିଷ୍ପତ୍ତିରେ ସଂଶୋଧନ କରି ବ୍ୟାକଫୁଟରେ ବିଜେଡି । କାଳେ ଓଡ଼ିଶାରେ ଏହି ସମୀକରଣରେ ବିଜେଡିର ଆଦିବାସୀ ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବ ସେହି ଭୟରେ ଦଳ ଦିଲ୍ଲୀରେ ଏମିତି ଆଦିବାସୀ ଦରଦ ଦେଖାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଯାହାର ଜବାବ୍ ରଖିଛି ବିଜେଡି ।

ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ? କୁହାଯାଉଛି ଉଭୟ ରାଜ୍ୟରେ ପ୍ରମୁଖ ଭୂମିକା ନେଇଥିଲା ଆଦିବାସୀ ଭୋଟ୍ । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିକୁ ବିଜୟ ଦେଇଥିଲା ଏହି ବର୍ଗ । ୩ ରାଜ୍ୟରେ ୧୦୧ ଏସ୍‌ଟି ସଂରକ୍ଷିତ ଆସନରୁ ପ୍ରାୟ ୫୩ଟି ବିଧାନସଭା ଆସନ ଦଖଲ କରିଥିଲା ବିଜେପି । ଯାହା ମଧ୍ୟରେ ମଧ୍ୟପ୍ରଦେଶରେ ୨୪, ଛତିଶଗଡରେ ୧୭ ଓ ରାଜସ୍ଥାନର ୧୨ଟି ଏସ୍ଟି ଆସନ ରହିଛି ।

ପୂର୍ବ ନିର୍ବାଚନଗୁଡ଼ିକ ଅପେକ୍ଷା ଏହି ସବୁ ରାଜ୍ୟର ଆଦିବାସୀ ବେଲ୍ଟରେ ଦଳ ୫୦ ପ୍ରତିଶତରୁ ବି ଅଧିକ ଆସନ ପାଇଛି । ଆଉ ସେଥିପାଇଁ ଭୟଭୀତ ହୋଇ ସଂସଦରେ ଆଦିବାସୀଙ୍କ କଥା ଉଠାଇ ମିଛ ଦରଦ ଦେଖାଇବାକୁ ବିଜେଡି ଚେଷ୍ଟା କରୁଥିବା ଅଭିଯୋଗ କରିଛି ବିଜେପି । କଂଗ୍ରେସ ମଧ୍ୟ କହିଛି ଯଦି ଆଦିବାସୀଙ୍କ ପାଇଁ ଦରଦ ଅଛି, ତା’ହେଲେ ଜମି ବିକ୍ରି ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ । ଯାହାର ଜବାବ୍ ରଖିଛି ବିଜେଡି ।

ଗୋଟେପଟେ ବିଜେପିର ଆଦିବାସୀ ଭୋଟ୍ ବ୍ୟାଙ୍କ ବୃଦ୍ଧି ଅନ୍ୟପଟେ ରାଜ୍ୟରେ ଆଦିବାସୀ ପ୍ରସଙ୍ଗରେ ବ୍ୟାକଫୁଟରେ ରହିଛି ବିଜେଡି । ଗତ ନଭେମ୍ବର ୧୪ରେ ଅନୁସୂଚିତ ଅଞ୍ଚଳରେ ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ପ୍ରକ୍ରିୟାକୁ ମଞ୍ଜୁର କରି ବିବାଦକୁ ଆସିଥିଲେ ରାଜ୍ୟ ସରକାର । ତାତିଥିଲେ ଆଦିବାସୀ, ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି । ଏମିତି କି ବିଧାନସଭା ବି ଚଲେଇଦେଲେନି ବିରୋଧୀ । ଯେଉଁଥିପାଇଁ ନିଷ୍ପତ୍ତି ସ୍ଥଗିତ ସହ କ୍ୟାବିନେଟ ଡାକି ପୁଣି ଅଧିକ ତର୍ଜମା ଆଳ ନେଇ ଆଦିବାସୀ ଉନ୍ନୟନ ପରିଷଦକୁ ପଠାଇଥିଲେ ରାଜ୍ୟ ସରକାର ।

ଅନ୍ୟପଟେ ପୂର୍ବରୁ ଓଡ଼ିଶାର ଆଦିବାସୀ ଝିଅ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଆଗରେ ରହିଛି ବିଜେପି । ଏମିତି ସ୍ଥିତିରେ ଛତିଶଗଡ ଏବଂ ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ଆଦିବାସୀ ଭୋଟ୍ ବିଭାଜିତ ହେବ ସେନେଇ ବିଜେଡି ଆଶଙ୍କା କରୁଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ । ରାଜ୍ୟରେ ୨୨ ପ୍ରତିଶତ ଆଦିବାସୀ ରହିଛନ୍ତି । ୩୩ଟି ବିଧାନସଭା ଆସନ ଏବଂ ୫ଟି ଲୋକସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ତା’ଭିତରୁ ବିଜେପି ପାଖରେ ରହିଛି ୧୧ଟି ବିଧାନସଭା ଓ ୨ ଲୋକସଭା ସିଟ୍ ।

  • Reported by:
  • JAGDISH DAS , SOUMYA RANJAN SAHOO