• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗିରଫ ହେଲେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ, ତାଙ୍କୁ ଭୁବନେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୋଲିସ୍ । ତାଙ୍କ ସହିତ ଅନ୍ୟ ୨ ସହଯୋଗୀ ବି ଗିରଫ ହୋଇଛନ୍ତି ।

ଅଭିଯୋଗ ଅନୁସାରେ, ବିଡିଓଙ୍କୁ ଦେଖା କରିବାକୁ ଚାହୁଁଥିଲେ ବିଧାୟକ । ଏନେଇ ବିଡିଓଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ତେବେ ବିଡିଓ କାମ ସାରି ଦେଖା କରିବେ ବୋଲି କହିଥିଲେ । ହେଲେ କିଛି ସମୟ ପରେ ବିଧାୟକ ୧୦ରୁ ଅଧିକ ସମର୍ଥକଙ୍କ ସହ ପହଞ୍ଚି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ତିଳେଇବଣି ବିଡିଓ । ଅଭିଯୋଗ ଆଧାରରେ, ପୋଲିସ ହତ୍ୟା ଉଦ୍ୟମ ସମେତ ଏକାଧିକ ଆଇପିସି ଧାରା ଓ ଏସ୍‌ସି-ଏସ୍‌ଟି ଆକ୍ଟ ଲଗାଇ, ସୁବାସଙ୍କୁ ଗିରଫ କରିଛି । ତେବେ ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ବିଡିଓଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବବ୍ୟହାର ଅଭିଯୋଗ ଆଣି ଏତଲା ଦେଇଥିଲେ ।

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ସାଧାରଣ ସଂପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଧାୟକ ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା ପାଇଁ ବିଡିଓଙ୍କ ଠାରୁ ଆଗୁଆ ସମୟ ମାଗିଥିଲେ । ହେଲେ ବିଡିଓ ତାଙ୍କୁ ଗୋଟିକ ପରେ ଗୋଟିଏ ଜାଗାକୁ ଡାକି ଦେଖାନକରିବାରୁ, ବିଧାୟକ ଏହାର କାରଣ ପଚାରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଡିଓ ତାଙ୍କ କଲର ଧରିଥିବା ଏବଂ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଦଳ ଆନ୍ଦୋଳନର ଚେତାବନୀ ଦେଇଛି । ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ସୁବାସଙ୍କୁ ଗିରଫ କରାଯିବା ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ସହ ସମାନ ବୋଲି ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଜନପ୍ରତିନିଧି ମାନଙ୍କୁ ଅପମାନିତ କରିବା ବିଜେଡି ସରକାରର ଷଡ଼ଯନ୍ତ୍ର ପାଲଟିଛି । ବିଜେଡି ମନମୁଖୀ ଶାସନ ଚଳାଉଥିବା ଏ ଅଭିଯୋଗ କରିଛନ୍ତି । ଏହାର ଜବାବ ରଖି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବିଧାୟକ ଆଇନ ଅନୁସାରେ ଗିରଫ ହୋଇଛନ୍ତି ଏବଂ ଏନେଇ ଦୃଢ଼ କାଯର୍ୟାନୁଷ୍ଠାନ ନିଆଯାଉ ।

ରିପୋର୍ଟର- ସିଦ୍ଧାର୍ଥ ଗୁରୁ ଓ ହରିହର ଚାନ୍ଦ