• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ବିଜେପିର ମିଶନ୍ ୨୪ ପାଇଁ ନଡ୍ଡାଙ୍କ ବିଜେଡିମୁକ୍ତ ନାରା । ଦୁଇ ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ଦଳର କାର୍ଯ୍ୟକର୍ତ୍ତାଙ୍କ କାନରେ ଆଜି ଏଇ ମନ୍ତ୍ର ଫୁଙ୍କିଛନ୍ତି । ଭୁବନେଶ୍ୱରର ଜନତା ମୈଦାନରେ ଆୟୋଜିତ ଦଳର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀକୁ ସଂବୋଧନ କରି, କାଲି ଭଳି ବି ଆଜି ବି ରାଜ୍ୟ ସରକାରଙ୍କ ଉପରେ ଧୁମ୍ ବର୍ଷିବା ସହ ଜଗନ୍ନାଥ କାର୍ଡ ବି ଖେଳିଛନ୍ତି ନଡ୍ଡା ।

କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ । ରକ୍ଷକ ରୂପୀ ଭକ୍ଷକଙ୍କଠୁ ମୁକ୍ତ ହେବାକୁ ପଡ଼ିବ । ଅପରପକ୍ଷେ ବିଜେପିକୁ ବିଜେଡିର ଦିଲ୍ଲୀ ବସ୍ ଆକ୍ଷେପକୁ ଟାର୍ଗେଟ୍ କରି ଜଗନ୍ନାଥ କାର୍ଡ ଖେଳିଛନ୍ତି ନଡ୍ଡା । କହିଛନ୍ତି -ଦିଲ୍ଲୀରେ ଆମର ବସ୍ ନୁହେଁ, ପ୍ରଧାନ ସେବକ ଅଛନ୍ତି । ୧୩୦ କୋଟି ଲୋକଙ୍କ ବସ୍ ମହାପ୍ରଭୁ ଜଗନ୍ନାଥ । ଆମେ ବସର ଭାଷା ନୁହେଁ, ସେବାର ଭାଷା କହୁ ବୋଲି କହି ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟାଇବାକୁ ଦଳର ସବୁ ମୋର୍ଚ୍ଚାକୁ ଆହ୍ୱାନ ଦେଇଛନ୍ତି ନଡ୍ଡା ।

ରାଜ୍ୟରେ ବିଜେପିର ମିଶନ୍ ୨୪ ଫୋକସରେ ମହିଳା । ତେଣୁ ବିଜେଡିର ମହିଳା ଭୋଟବ୍ୟାଙ୍କର ସଫଳ କାଉଣ୍ଟର ପାଇଁ ମହିଳା ମୋର୍ଚ୍ଚାକୁ ମନ୍ତ୍ର ଦେଇଛନ୍ତି ନଡ୍ଡା । ସୌଭାଗ୍ୟ, ଉଜ୍ଜ୍ୱଳା ଓ ଜନଧନ ଭଳି ଯୋଜନାର ସଫଳତାର ବାର୍ତ୍ତା ତୃଣମୂଳସ୍ତରର ମହିଳାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ କହିଥିଲେ ନଡ୍ଡା । ତେବେ ଖାଲି ମହିଳା ନୁହଁନ୍ତି ଯୁବ, କୃଷକ, ଆଦିବାସୀ ଓ ପଛୁଆ ବର୍ଗଙ୍କ ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଓ କେନ୍ଦ୍ର ଦେଉଥିବା ଗୁରୁତ୍ୱକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବି ନଡ୍ଡା ‌ଆହ୍ୱାନ ଦେବା ସହ ଭ୍ରଷ୍ଟାଚାର ଓ କୁଶାସନକୁ ସରକାର ବିରୋଧୀ ଜନଜାଗରଣର ମୁଖ୍ୟ ଅସ୍ତ୍ର କରିବାକୁ କହିଛନ୍ତି ।

ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ପରେ ନଡ୍ଡା ଦଳୀୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକରେ ଯୋଗ ଦେଇ ଦୁଇ ଦିନ ଧରି ହୋଇଥିବା କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନର ରୋଡମ୍ୟାପ୍ ସଂପର୍କରେ ଆଲୋଚନା କରିଥିଲେ । ଏଥିସହ ଗସ୍ତର ଶେଷ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୨୯ ନମ୍ବର ଓ୍ୱାର୍ଡର ୬୪ ନମ୍ବର ବୁଥକୁ ଯାଇ ବୁଥ ସ୍ତରରେ ସଂଗଠନର ସମୀକ୍ଷା ବି କରିଥିଲେ ନଡ୍ଡା ।