Padmapur
ପାଇକମାଳରେ ଜାଗରଣ ଯୁବ ସଙ୍ଗଠନର ଆନ୍ଦୋଳନ । ପଦ୍ମପୁର କାଳୀ ମନ୍ଦିରେ ଦୀପଦାନ ଆଉ ଏଣେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସହ କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ଆଲୋଚନା । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ସାମ୍ନାକୁ ଆସିଥିଲା ଏଭଳି ୩ଟି ଚିତ୍ର । ଆଗକୁ ପଦ୍ମପୁର ଭୋଟ୍ ଥିବାରୁ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ଜିଲ୍ଲା ଗଠନ ଦାବି ।
ଅଧିକ ପଢ଼ନ୍ତୁ: ପଦ୍ମପୁର ଭୋଟ୍ ପୂର୍ବରୁ ତେଜିଲା ଫାର୍ମର ପଲିଟିକ୍ସ ! ରାଜ୍ୟ ସରକାରଙ୍କ ଇନ୍ପୁଟ୍ ସବସିଡି ନେଇ ଦ୍ୱନ୍ଦ୍ୱ
ଏହି ମୌକାରେ ପାଇକମାଳଠାରେ ଜିଲ୍ଲା ଗଠନ ଦାବି ସମେତ ପାଇକମାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚ୍ସି ଘୋଷଣା, ପାଇକମାଳକୁ ଏନ୍ଏସି ମାନ୍ୟତା ଆଦି ଦାବିରେ ବିକ୍ଷୋଭ ପଦର୍ଶନ କରିଛି ଜାଗରଣ ଯୁବ ସଙ୍ଗଠନ । ସେପଟେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।
ପରେ କହିଥିଲେ ଆଲୋଚନା ସଫଳ ହୋଇଛି । ୩୧ ଡିସେମ୍ବର, ୨୦୨୩ ସୁଦ୍ଧା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ମେନିଫେଷ୍ଟୋରେ ମଧ୍ୟ ତାହା ଉଲ୍ଲେଖ ରହିବ ବୋଲି ବି ପ୍ରତିଶ୍ରୁତି ମିଳିଛି । ତେବେ ପ୍ରତିଶ୍ରୁତିରୁ ଯଦି ସରକାର ଓହରି ଯାଆନ୍ତି ତାହେଲେ ୨୪ ସାଧାରଣ ନିର୍ବାଚନରେ ତାର ଜବାବ ଦିଆଯିବ ବୋଲି କମିଟି ଚେତାବନୀ ଦେଇଛି ।
ଆଲୋଚନା ବେଳେ ଉପସ୍ଥିତ ଥିବା ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି, ଜିଲ୍ଲା ଗଠନ ନେଇ ଆମେ ପ୍ରତିଶ୍ରୁତିବଦ୍ଧ । ଏହାର କାଉଣ୍ଟରରେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଅସତ୍ୟର ସୌଦାଗର କହି ସିଧସିଧା ଟାର୍ଗେଟ କରିଛନ୍ତି । କାଳିଆ, ପିଠା, ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍, ଜଳସେଚନ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲ ବି ତାହା ପୂରଣ କରାଯାଇନଥିବାରୁ କଡ଼ା ସମାଲୋଚନା କରିଛି ଦଳ । ବିଜେପି ସାଂସଦ ସୂରେଶ ପୂଜାରୀ ଓ ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବିଜେଡିର ପ୍ରତିଶ୍ରୁତିକୁ ନେଇ ବର୍ଷିଛନ୍ତି । କଂଗ୍ରେସ୍ କହିଛି ନିର୍ବାଚନ ଆସିଲେ ସରକାରଙ୍କ ଜିଲ୍ଲା କଥା ମନେପଡେ ।
ବରଗଡ଼ ଜିଲ୍ଲାର ଗାଇସିଲେଟ୍, ସୋହେଲା, ବିଜେପୁର, ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ବ୍ଳକ୍କୁ ନେଇ ସ୍ୱତନ୍ତ୍ର ଜିଲ୍ଲା ଗଠନ ଲାଗି ପ୍ରସ୍ତାବ ରହିଥିଲା । ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଦାସ୍ କମିଶନ୍ ମଧ୍ୟ ଏଥିପାଇଁ ସୁପାରିଶ କରିଥିଲେ । ଦୁଇ ଦଶନ୍ଧି ଧରି ଜିଲ୍ଲା ଆନ୍ଦୋଳନ ଚାଲିଆସିଛି । ହେଲେ ଏହା କେବେ ପୂରଣ ହେଉଛି ତାକୁ ହିଁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Padmapur_1668610688.jpg)