• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ହରିୟାଣାରେ ହାଟ୍ରିକ୍ ବିଜୟ ପରେ ସରକାର ଗଠନ କସରତ । ବିଜେପି ଶୀର୍ଷ ନେତୃତ୍ବଙ୍କୁ ଭେଟିଲେ ସିଏମ୍ ନାୟବ ସିଂ ସୈନି । ଦଶହରାରେ ସୈନି ପୁଣିଥରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଶପଥ । ବିଧାନସଭା ନିର୍ବାଚନର ମାତ୍ର ୨ ଶହ ଦିନ ପୂର୍ବରୁ ହରିୟାଣା ସରକାରର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି । ଆଉ ବିଜେପିର ଐତିହାସିକ ବିଜୟ ପରେ, ସେ ହିଁ ସିଏମ୍ ପଦ ବଜାୟ ରଖିବେ ବୋଲି ଅନୁମାନ କରାଯାଉଛି । ଆଜି ସୈନି ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

ଏହା ପରେ ଚର୍ଚ୍ଚା ହେଉଛି ଯେ, ସେ ଆସନ୍ତା ଶନିବାର ଦଶହରାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ପଞ୍ଚକୁଲାର ତାଉ ଦେବୀଲାଲ୍ ଷ୍ଟାଡିୟମ କିମ୍ବା ସେକ୍ଟର-୫ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ହୋଇପାରେ ଭବ୍ୟ ଶପଥ ଗ୍ରହଣ ସମାରୋହ। ହରିୟାଣା କ୍ୟାବିନେଟରେ ସିଏମ୍‌ଙ୍କ ସମେତ ସର୍ବାଧିକ ୧୪ ଜଣ ମନ୍ତ୍ରୀ ରହିବା ବ୍ୟବସ୍ଥା ଥିବା ବେଳେ, ପୁରୁଣା କ୍ୟାବିନେଟରୁ କେବଳ ସୈନି, ମହିପାଲ ଢଣ୍ଡା ଓ ମୂଲଚାନ୍ଦ ଶର୍ମା ନିର୍ବାଚନ ଜିତିଛନ୍ତି । ବାକି ମନ୍ତ୍ରୀପଦ ପାଇଁ ବିଜେପିକୁ ନୂଆ ଚେହେରା ଖୋଜିବାକୁ ପଡ଼ିବ ।

ସେପଟେ ହରିୟାଣାରେ ୯୦ରୁ ୪୮ ସିଟ୍ ପାଇ ଲଗାତାର ତୃତୀୟ ଥର ପାଇଁ ବିଜୟ ଧ୍ବଜା ଉଡ଼ାଇଥିବା ବିଜେପିର ବଳ ଆହୁରି ବଢ଼ିଛି । ଆଜି ୩ ସ୍ବାଧୀନ ବିଧାୟକ ପଦ୍ମ ଧରିବା ପରେ, ସଂଖ୍ୟା ୫୧କୁ ବଢ଼ିଛି । ସେମାନେ ହେଲେ ଗନୌରର ଦେବେନ୍ଦ୍ର କାଦ୍ୟାନ, ବାହାଦୁରଗଡ଼ର ରାଜେଶ ଜୁନ୍ ଏବଂ ହିସାରର ସାବିତ୍ରୀ ଜିନ୍ଦଲ। ସାବିତ୍ରୀ ହେଉଛନ୍ତି ଶିଳ୍ପପତି ନବୀନ ଜିନ୍ଦଲଙ୍କ ମାଆ ଏବଂ ଭାରତର ସବୁଠୁ ଧନୀ ମହିଳା ।

ଓଡ଼ିଶା ବିଜେପି ଶିବିରରେ ବି ଦେଖିବାକୁ ମିଳିଛି ହରିୟାଣା ଉତ୍ସାହ। ବାଣ, ବାଜା, ନାଚଗୀତ । ମିଠା.. ଖାସ୍ କରି ଜିଲାପି ଖୁଆଇ ଖୁସି ମନାଇଛନ୍ତି ବିଜେପି ନେତା ଓ କର୍ମୀ । ବିଜେପିର ହରିୟାଣା ସଫଳତା ଓ କଂଗ୍ରେସର ବିଫଳତା, ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ବି କିଭଳି ପ୍ରଭାବ ପକାଉଛି ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

ଏକଜିଟ୍ ପୋଲ୍ ଆକଳନ ପରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ। ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି। ତେବେ ହରିୟାଣାରେ କଂଗ୍ରେସ ମାଟି କାମୁଡ଼ିବା ପରେ, ଉଭୟ ରାଜ୍ୟ ବିଜେଡି ଓ କଂଗ୍ରେସକୁ ଜୋରଦାର ଝଟକା ଲାଗିଥିବା କୁହାଯାଉଛି ।

ହରିୟାଣା ହାର୍ ପରେ କଂଗ୍ରେସକୁ ଓଭର୍-କନଫିଡେଣ୍ଟ କହି ତାଚ୍ଛଲ୍ୟ କରିଛି ମହାରାଷ୍ଟ୍ରରେ ମହାଅଘାଡ଼ି ସହଯୋଗୀ ଶିବସେନା-ୟୁବିଟି । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବି ଗତକାଲି କହିଥିଲେ, କଂଗ୍ରେସ ନିଜ ଓଭର କନଫିଡେନ୍ସ ପାଇଁ ହାରିଲା । ଆଉ ଆଜି ଆପ୍ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଗତକାଲି ପିଏମ୍ ମୋଦି କଂଗ୍ରେସକୁ ପରଜୀବୀ ବୋଲି କଟାକ୍ଷ କରିବା ସହିତ ଏହା ନିଜ ସହଯୋଗୀ ଦଳଙ୍କୁ ଗିଳିଦିଏ ବୋଲି କହିଥିଲେ ।

  • Reported by:
  • JAGDISH DAS , NIRANJAN REDDY , MANIK Lal PANI

OTV is now on Whatsapp

Join and get latest news update delivered to you via whatsapp

Join Now