/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749459117.jpg)
ରାଜନୀତିର ହଟ୍ସ୍ପଟ୍ ଗଞ୍ଜାମ
ବିଜେଡି କ୍ଷମତାରୁ ଗଲା ପରେ ନବୀନଙ୍କ ନିର୍ବାଚନମଣ୍ଡଳୀରେ ଭରା ସମାବେଶରେ ଠିଆ ହୋଇ କଂଗ୍ରେସ ନେତା ରମେଶ ଜେନା କହିଲେ, "ଓଡିଶାରୁ ବିଜେଡି ନିଖୋଜ ହୋଇଯିବ l" ହିଞ୍ଜିଳିରେ ଆଙ୍ଗୁଳିରୁ ବାହୁ ବିସ୍ତାର କଲଣି କଂଗ୍ରେସ l ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଘନ ଘନ ଗଞ୍ଜାମ ଗସ୍ତ l ନିକଟରେ ଗଞ୍ଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି l ଏହାର ଦିନକ ପରେ କଂଗ୍ରେସର ବିଶାଳ ସମ୍ବିଧାନ ବଞ୍ଚାଅ ସମାବେଶ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ବାଚନମଣ୍ଡଳୀରୁ ଆରମ୍ଭ ସମ୍ବିଧାନ ବଞ୍ଚାଅ ସମାବେଶ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନମଣ୍ଡଳୀରେ ଶେଷ କରିବାକୁ ଯୋଜନା ରଖିଛି କଂଗ୍ରେସ l କହିବାକୁ ଗଲେ ବର୍ତ୍ତମାନର ରାଜନୈତିକ ହଟସ୍ପଟ ସାଜିଛି ଗଞ୍ଜାମ!
ନବୀନଙ୍କ ନିର୍ବାଚନମଣ୍ଡଳୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ l "ପରିବେଶ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ" ନାରାଦେଇ ଦଳ ହିଞ୍ଜିଳିରେ ରାଲି ଓ ବିଶାଳ ସମାବେଶ କରିଛି l ଝଡି ନାହିଁ କି ମରୁଡି ନାହିଁ; ଆଖ ପାଖରେ ସେଭଳି କୌଣସି ନିର୍ବାଚନ ହେବାର ନାହିଁ l ସାଧାରଣ ନିର୍ବାଚନକୁ ୪ ବର୍ଷ ଆଉ ପୌର, ପଂଚାୟତ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ବାକି ଅଛି l ତେବେ ଅଚାନକ ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଏଭଳି ପାୱାର-ଶୋ କରିବା ନେଇ ଆଲୋଚନା ଆରମ୍ଭ ହୋଇଛି l
ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ହିଞ୍ଜିଳିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ l ଓଡ଼ିଶା ରାଜନୀତିର ବେଶ ଚର୍ଚ୍ଚିତ ଏହି ଅଂଚଳ l କାରଣ ଏଠାରୁ ୫ଥର ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ l ଷଷ୍ଠ ଥର ପୁଣି ନିର୍ବାଚିତ ହୋଇ ବିରୋଧୀଦଳ ନେତା ହୋଇଛନ୍ତି l ଯଦିଓ ସ୍ବର୍ଗତ ବୃନ୍ଦାବନ ନାୟକ ଲଗାତାର ୮ ଥର (୧୯୫୭-୮୦) ହିଞ୍ଜିଳି ଆସନରୁ ନିର୍ବାଚିତ ହେବାର ରେକର୍ଡ ସ୍ଥାପନ କରିଥିଲେ l କିନ୍ତୁ ଗତ ୨୫ବର୍ଷ ଭିତରେ ନବୀନ ପଟନାୟକଙ୍କୁ ଏଠାରୁ ପରାଜୟ କରିବା ତ ତେଣିକି ଥାଉ ଅନ୍ୟ କୌଣସି ରାଜନୈତିକ ଦଳ ଆଖିଦୃଶିଆ ରାଲି ସମାବେଶ କରିବା ଦେଖାଯାଇ ନଥିଲା l
ବିଜେଡି କ୍ଷମତାଚ୍ୟୁତ ହେବା ପରେ ପ୍ରଥମ କରି କଂଗ୍ରେସର ହିଞ୍ଜିଳିରେ ବେଶ ଜବରଦସ୍ତ ଏଣ୍ଟ୍ରି ରାଜନୈତିକ ଆଲୋଚନକୁ ଖୋରାକ ଯୋଗାଇଛି l ଆଉ ଏହି ପ୍ରକ୍ରିୟାର ମୁଖ୍ୟ ବିନ୍ଧାଣି ସାଜିଥିଲେ ପଡୋଶୀ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ତଥା ଦଳର ଉପସଭାପତି ରମେଶ ଚନ୍ଦ୍ର ଜେନା l ଓଡିଶା ପ୍ରଭାରୀ ଅଜୟ କୁମର ଲଲୁ, ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ୩ ଟି ନିର୍ବାଚନମଣ୍ଡଳୀର ବିଧାୟକ ସାମିଲ ହୋଇଥିଲେ l
"ସମ୍ବିଧାନ ବଞ୍ଚାଅ" ସମାବେଶରେ ଉଭୟ ବିଜେଡି ଓ ବିଜେପିକୁ ଶାଣିତ ଆକ୍ରମଣ କରି କଂଗ୍ରେସ କହିଛି, "ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଉଭୟେ ମିଳିମିଶି ରାଜ୍ୟକୁ ଲୁଟିଲେ l ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ଭିତିରିଆ ସମର୍ଥନ ରହିଲା l ଆଗାମୀ ଦିନରେ ଓଡିଶାରୁ ବିଜେଡି ନିଖୋଜ ହୋଇଯିବ l" ଏହା ସହିତ ୨୪ ବର୍ଷ ଧରି ବିଜେଡି ସରକାରରେ ଥିବା ସମୟରେ ଏହି ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ନବୀନ ବାବୁ ପିଇବା ପାଣି ଠାରୁ ରୋଜଗାର ଯାଏଁ ଲୋକଙ୍କ ପାଇଁ କରିଛନ୍ତି କଣ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ l
ଏହାର ଦିନକ ପୂର୍ବରୁ ୫ ଜୁନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୨୮ହଜାର କୋଟିରୁ ଅଧିକ ଟଙ୍କାର ୧୨ଟି ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଛତ୍ରପୁରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ କହିଥିଲେ, ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବହୁଵାର ଗଞ୍ଜାମଗସ୍ତ କରିଛନ୍ତି l
କଂଗ୍ରେସ ଓ ବିଜେପି ଯେଭଳି ରାଜନୈତିକ ସକ୍ରିୟତା ଦେଖାଉଚି ବିଜେଡି କ୍ଷେତ୍ରରେ ସେଭଳି ପରିଲକ୍ଷିତ ନହେବା ଆଲୋଚନାର ବିଷୟ ହୋଇଛି l ଅତୀତରେ ଗଞ୍ଜାମ ଜିଲ୍ଲା ରାଜ୍ୟ ରାଜନୀତିର ରଚନା ଲେଖିଥିବା ଇତିହାସ ରହିଛି l ତେବେ ଆଗକୁ ଯଦି ବର୍ତମାନ ଭଳି ପରିସ୍ଥିତି ଜାରି ରହେ ତେବେ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି l
ତେବେ ଅବେଳରେ ଶକ୍ତି ଦେଖାଇ ଠିକଣା ସମୟରେ କଂଗ୍ରେସ "ପାୱାର ଡାଉନ" ହେଵାର ପୂର୍ବ ନିର୍ବାଚନ ଗୁଡିକରେ ଦେଖାଯାଇଛି l ଯଦିଓ ବର୍ତମାନ ପରିସ୍ଥିତି କିଛି ଭିନ୍ନ l କେନ୍ଦ୍ରରେ କଂଗ୍ରେସ ମୁଖ୍ୟ ବିରୋଧୀଦଳ ଭାବରେ ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଛି l ଆଉ ଓଡ଼ିଶାରେ ମଧ୍ୟ ବିଜେପି ସରକାରରେ ରହିଛି l ତେବେ ଅନେକ କଥାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ୍ୱ, ବିଭିନ୍ନ ପ୍ରସଙ୍ଗରେ ବିରୋଧ୍ୟାଭାଷ ଦୂର କରି ଦଳ ଯଦି ଆଗକୁ ଆସି ମୁଖ୍ୟ ବିରୋଧୀଦଳର ଭୂମିକା ନିର୍ବାହ ନକରେ ତାହେଲେ ଲାଗିରହିଥିବା ଚର୍ଚ୍ଚା ସତ ସାବ୍ୟସ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)