• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭାଙ୍ଗିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? କାହିଁକି ନା ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାସ୍ ହେବା ପରେ ବିଜେପି ଏହାକୁ କ୍ୟାମ୍ପେନ୍ ମୋଡ୍ ରେ ଗାଁ ଗାଁରେ ପ୍ରଚାର କରିବାକୁ ଯାଉଛି । ରାଜ୍ୟର ପ୍ରାୟ ୫୦ ହଜାର ଗାଁରେ ଛୋଟ ଛୋଟ ସଭା ଓ ସଂକୀର୍ତ୍ତନ କରି ମହିଳା ବିଲ୍ ଉପରେ ଲୋକଙ୍କୁ ବୁଝାଇବ ଦଳ । ସେପଟେ ସମସ୍ତ ପ୍ରକ୍ରିୟା ସରିବା ପରେ ମହିଳା ସଂରକ୍ଷଣ ଆଇନ ଲାଗୁ ହେବା ବେଳକୁ ୨୦୨୯ ହୋଇଯାଇପାରେ । ଏଭଳି କ୍ଷେତ୍ରରେ ୨୦୨୪ରେ ବିଜେଡି ଓ ବିଜେପି ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେବେ କି ? ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ । ମହିଳାଙ୍କ ପାଇଁ ମୋଦି ଅଛନ୍ତି, ଏଭଳି କିଛି ବାର୍ତ୍ତା ଦେବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ଆରମ୍ଭ ହୋଇଛି ପ୍ରଚାର ପ୍ରସାର । ଗତକାଲି ବିଜେପି ମହିଳା ମୋର୍ଚ୍ଚା ଟିମ୍ ପିଏମ୍ ମୋଦିଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଜି ବି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ସଭା ସମିତି ।

ମହିଳା ସଶକ୍ତୀକରଣ ବାର୍ତ୍ତା ଆଗକୁ ଗାଁ ଗାଁକୁ ନେବାକୁ ବଡ଼ ଯୋଜନା କରିଛି ବିଜେପି । କ୍ୟାଂପେନ୍ ମୋଡ୍ ରେ ଏହାକୁ ଗାଁ ଗାଁରେ ପ୍ରଚାର କରିବ ଦଳ । ପ୍ରାୟ ୫୦ ହଜାର ଗାଁରେ ସଭା ଓ ସଂକୀର୍ତ୍ତନ କରି ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ଅବଗତ କରାଇବ । ଗାଁର ସାଧାରଣ ମହିଳା ବି ବିଧାୟିକା, ସାଂସଦ ହୋଇପାରିବେ ସେହି ବାର୍ତ୍ତା ପହଞ୍ଚାଯିବ । କେବଳ ସେତିକି ନୁହେଁ ମହିଳାଙ୍କ ପାଇଁ ମୋଦି ସରକାର ଆଣିଥିବା ବିଭିନ୍ନ ସ୍କିମ୍ ସଂପର୍କରେ ବି ଜଣାଯିବ । ପ୍ରଶ୍ନ ଉଠୁଛି ବିଜେପିର ଏହି କ୍ୟାମ୍ପେନ୍ ବିଜେଡିର ମହିଳା ଭୋଟକୁ ପ୍ରଭାବିତ କରିବ କି ? ଶଙ୍ଖ ଦଳର କେତେ ଭୋଟ୍ କାଟିବ ବିଜେପିର ମହିଳା ସଂରକ୍ଷଣ ବିଲ୍ ଓ କ୍ୟାମ୍ପେନ୍ ?

ଜନଗଣନା, ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଆଦି ପ୍ରକ୍ରିୟା ସରିବା ପରେ ନାରୀଶକ୍ତି ବନ୍ଦନ ଅଧିନିୟମ ଲାଗୁ ହେଉ ହେଉ ୨୦୨୯ ହୋଇଯାଇପାରେ । ପ୍ରଶ୍ନ ଉଠୁଛି ୨୦୨୪ ନିର୍ବାଚନରେ କ’ଣ ହେବ ? ଦଳୀୟ ଭିତ୍ତିରେ ଓଡ଼ିଶାରେ ବିଜେପି ଓ ବିଜେଡି ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବେ କି ? ଏହା ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ବିଲ୍ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଏଭଳି କରିବ ବୋଲି ଦଳ ଲୋକସଭାରେ କହିସାରିଛି । ହେଲେ ବିଧାନସଭାରେ କ’ଣ କରିବସେ କାର୍ଡ କିନ୍ତୁ ଖୋଲିନାହିଁ । ସେପଟେ ବିଜେପି କହିଛି ଅଧିକ ମହିଳାଙ୍କୁ ଟିକଟ ଦେବାକୁ ଚେଷ୍ଟା କରୁଛୁ ।

ସେପଟେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାସ୍ ହେବା ପରେ ଶ୍ରେୟ ରାଜନୀତି ଜୋର୍ ଧରିଛି । ବିଜେପି ବହୁ ବର୍ଷ ପୂର୍ବରୁ ମହିଳାଙ୍କୁ ସଂରକ୍ଷଣ ଦେବାକୁ ଚେଷ୍ଟା କରିଥିଲା, ଆଉ ଏବେ ମୋଦି ତାକୁ ସଫଳ କଲେ ବୋଲି କହୁଛି । ସେପଟେ ବିଜେଡି ତା’ର ସୋସିଆଲ୍ ମଡିଆରେ କହୁଛି ୧୦ ବର୍ଷ ପୂର୍ବରୁ ନବୀନ ଯାହା ଚିନ୍ତା କରନ୍ତି ଅନ୍ୟମାନେ ତା’କୁ ଏବେ କାର୍ଯ୍ୟକାରୀ କରନ୍ତି ।

  • Reported by:
  • HARIHARA CHAND