• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଥର ଲୋକସଭା ନିର୍ବାଚନରେ ବିଜେପିର ଟାର୍ଗେଟ ୪ ଶହରୁ ଅଧିକ ଆସନ । ଏହି ଲକ୍ଷ୍ୟ ହାସଲ ଲାଗି ଦଳ ଗ୍ରହଣ କରିଛି ନୂଆ ଷ୍ଟ୍ରାଟେଜି । ବିଜୟ ସମ୍ଭାବନା ଥିବା ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ପଦ୍ମ ଶିବିରକୁ ଆଣିବା । ଏଥିପାଇଁ ଦଳ ଗଠନ କରିଛି ଜଏନିଂ ବା ମିଶ୍ରଣ କମିଟି । ଯାହାର ମୁଖ୍ୟ ହୋଇଛନ୍ତି ଦଳୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ । ଖୁବଶୀଘ୍ର ଓଡ଼ିଶାରେ ବି ଏହି ଢାଞ୍ଚାରେ କମିଟି ଗଠନ କରାଯିବ ।

ବିଜେପି ଫୋକସରେ ବିରୋଧୀ ଦଳଙ୍କ ବିଦ୍ରୋହୀ ନେତା । ଅନ୍ୟ ଦଳର ଯେଉଁ ଅସନ୍ତୁଷ୍ଟ ନେତାଙ୍କର ବିଜୟ ସମ୍ଭାବନା ରହିଛି ସେମାନଙ୍କୁ ଆଣି ବିଜୟ ସମ୍ଭାବନା ବଢାଇବା ଲାଗି ବିଜେପି ପ୍ରସ୍ତୁତ କରିଛି ରଣନୀତି । ଏନେଇ କେନ୍ଦ୍ର ଭଳି ଓଡ଼ିଶାରେ ବି ଗଠନ ହେବ ଜଏନିଂ କମିଟି । ଉଭୟ ବିଧାନସଭା ଓ ଲୋକସଭା ପାଇଁ କାହାକୁ ଦଳରେ ଗ୍ରହଣ କରାଯିବ, ସେନେଇ କମିଟି ନିଷ୍ପତ୍ତି ନେବ ।

ଲୋକସଭା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳୀୟ ସାଧାରଣ ସମ୍ପାଦକ ବିନୋଦ ତାଓଡେଙ୍କ ଅଧ୍ୟକ୍ଷତାରେ Joining Committee ଗଠନ କରିଛନ୍ତି । କମିଟି ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ଦଳକୁ ଆଣିବାକୁ ପ୍ରୟାସ କରୁଛି । ଓଡ଼ିଶା କମିଟି ମଧ୍ୟ ସେଇ ଢାଞ୍ଚାରେ କାମ କରିବ । କମିଟି ଅନ୍ୟ ଦଳର ନେତାଙ୍କ ସହ ଯୋଗାଯୋଗ କରିବ । ଯେଉଁମାନେ ପଦ୍ମ ଶିବିରକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କ ଲୋକପ୍ରିୟତା, ଭୋଟ ବ୍ୟାଙ୍କ ଓ ଜିତିବା ସମ୍ଭାବନାକୁ ଦେଖି କମିଟି ନିଷ୍ପତ୍ତି ନେବ ।

ଶାସକ ଦଳର ଅନେକ ନେତା ବିଜେପି ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ବିଜେଡି ଟେନସନରେ ରହିଛି । ନିକଟରେ କଟକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଥିବା ବିଜେଡି ନେତା ଅରିନ୍ଦମ ରାୟ, ଜାତୀୟ ଯୁବ ଦିବସ ଅବସରରେ ଆଜି କଟକ ବାଲିଯାତ୍ରା ପଡ଼ିଆରେ ସଙ୍କଳ୍ପ ସମାଵେଶ କରିଛନ୍ତି । ଶହ ଶହ ଯୁବକଯୁବତୀଙ୍କ ସହ ବିଜେଡି କିଛି କର୍ପୋରେଟର ଓ ନେତା ବି ଏଥିରେ ସାମିଲ ହୋଇଛନ୍ତି ।

ତେବେ ଏଠି ବିଜେଡ଼ି ସୁପ୍ରିମୋଙ୍କ ଫଟୋ କିମ୍ବା ଦଳର ଚିହ୍ନ ବ୍ୟବହାର ହୋଇନାହିଁ । ତେଣୁ ଅରିନ୍ଦମଙ୍କ ଗତି କୁଆଡେ ତାକୁ ନେଇ ପ୍ରଶ୍ନ ଉଠିଛି । କୌଣସି ରାଜନୈତିକ ଉଦ୍ଦେଶ୍ୟରେ ଏହା କରାଯାଇନଥିବା ଅରିନ୍ଦମ ସଫେଇ ଦେଇଛନ୍ତି । ତେବେ ଛାତ୍ର ଛାତ୍ରୀ ଓ ଯୁବବର୍ଗଙ୍କ ଲାଗି ବିଜେଡି ଏତେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ଏକାକି ଏଭଳି କାର୍ଯ୍ୟକ୍ରମ କରିବା ଭିନ୍ନ ଇଶାରା ଦେଉଛି ।

୨୦୧୯ରେ ବିଜେଡିର ଅନେକ ଅସନ୍ତୁଷ୍ଟ ନେତା ବିଜେପି ଟିକେଟରେ ଲଢି ବିଜୟ ହୋଇଛନ୍ତି । ସୁନ୍ଦରଗଡ଼ରେ କୁସୁମ ଟେଟେ ଓ ନୀଳଗିରିରେ ସୁକାନ୍ତ ନାୟକ ଓ ପୁରୀରେ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଟିକଟ ନପାଇବାରୁ ବିଜେପିରୁ ଲଢିବା ସହ ଜିତିଥିଲେ । ୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢୁଥିବାରୁ ଅସନ୍ତୁଷ୍ଟ ନେତାଙ୍କୁ ଆପଣେଇବା ଲାଗି ବିଜେପିର ଷ୍ଟ୍ରାଟେଜି ବିଜେଡି ପାଇଁ ଅଡୁଆ ହୋଇପାରେ ।

ଦଳରେ କୁହୁଳୁଥିବା ଅଶନ୍ତୋଶକୁ ପ୍ରଶମିତ କରିବାରେ ବିଜେଡି ସଫଳ ହେଉଛି ନା ବିଜେପି ସେଥିରୁ ଫାଇଦା ନେଉଛି ତା ଉପରେ ନଜର ରହିଛି ।

  • Reported by:
  • DEBASHISH MOHANTY , SOUMYA RANJAN SAHOO