• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଅଡୁଆରେ ନିମାପଡ଼ା ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ । ତାଙ୍କ ବିରୋଧରେ ଯୋଡି ହେଲା ଆଉ ଏକ ନାରୀ ନିର୍ଯାତନାର ଅଭିଯୋଗ । ଖୋଦ୍ ନିଜ ଦଳର ନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ ତାଙ୍କ ବିରୋଧରେ ଏମିତି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । କହିଛନ୍ତି ବିଧାୟକ ତାଙ୍କୁ ମାଇଣ୍ଡ ଫ୍ରେସ୍ କରିବା ନାଁରେ ଭୁବନେଶ୍ୱର ଡାକିଥିଲେ । ଅନ୍ୟ ପଟେ ନାରୀ ନିର୍ଯାତନା ବିବାଦରେ ଫସିଥିବା ସତ୍ତ୍ୱେ ପୁଣି ଥରେ ସମୀରଙ୍କ ପାଇଁ ଭୋଟ ମାଗିବାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାଇଣ୍ଡଫ୍ରେସ ପାଇଁ ମହିଳାଙ୍କୁ ଭୁବନେଶ୍ୱର ଡାକୁଛନ୍ତି ବିଜେଡି ବିଧାୟକ ସମୀର ଦାଶ । ସେ ପୁଣି ଖୋଦ୍ ନିଜ ଦଳ ବିଜେଡିର ନେତ୍ରୀଙ୍କୁ । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିମାପଡ଼ା ବିଜେଡିର ମହିଳା ନେତ୍ରୀ ଜ୍ୟୋତ୍ସ୍ନାରାଣୀ ନାୟକ । ୨୦୧୭-୧୮ ମସିହାର ଏକ ଚୋରି ମାମଲାରେ ପୋଲିସକୁ ଫୋନ କରିବା ପାଇଁ ବିଧାୟକଙ୍କ ପାଖକୁ ଯାଇଥିବାବେଳେ ବିଧାୟନ ତାଙ୍କୁ କାଳେ ମାଇଣ୍ଡଫ୍ରେସ କରିବାକୁ ଭୁବନେଶ୍ୱର ଡାକିଥିବା ସେ ଅଭିଯୋଗ କରିଛନ୍ତି । ସମୀରଙ୍କ ଏଭଳି ଅଶ୍ଳୀଳ ଇଙ୍ଗିତ ପାଇଁ କିଛି ଦିନ ଦଳରୁ ଦୂରେଇ ରହିଥିଲେ ଜ୍ୟୋତ୍ସ୍ନାରାଣୀ । ଆଉ ଏବେ ଦଳର ନିର୍ଦ୍ଦେଶରେ ନିମାପଡ଼ାରେ ପଦଯାତ୍ରା ବେଳେ ବିଧାୟକ ସମୀର ଦାଶଙ୍କ ସମର୍ଥକମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଥମେ ଗତ ୯ ତାରିଖରେ ଗାଡି ଅଟକାଇ ଗାଳିଗୁଲଜ କଲେ । ଏନେଇ ଗୋପ ଥାନାରେ ଏତଲା ଦେବାରୁ, ୧୧ ତାରିଖରେ ଦୀଘାଳ ଠାରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଉପରେ ଆକ୍ରମଣ ଏବଂ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ପୁଣି ଥରେ ନିମାପଡା ଥାନାରେ ମଧ୍ୟ ଏତଲା ହୋଇଛି । ହେଲେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏସପିଙ୍କୁଭେଟିଛନ୍ତି ଜ୍ୟୋତ୍ସ୍ନାରାଣୀ । ହେଲେ ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଜ୍ୟୋତ୍ସ୍ନାରାଣୀ ହେଉଛନ୍ତି ବିଜେପି କର୍ମୀ ।

ପୂର୍ବରୁ ମଧ୍ୟ ସମୀର ରଞ୍ଜନ ଦାଶଙ୍କ ନାଁରେ ବଡ଼ ବିବାଦ ରାଜ୍ୟ ରାଜ୍ୟନୀତିକୁ ହଲ୍‌ଚଲ୍ କରିଥିଲା । ପୁରୀ ଜିଲ୍ଲା ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ଥିଲା । ଧର୍ମେନ୍ଦ୍ରଙ୍କ ପତ୍ନୀଙ୍କ ସହ ତାଙ୍କ ସଂପର୍କ ଥିବା ଏବଂ ନିଜେ ବିଧାୟକ ଧର୍ମେନ୍ଦ୍ରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଏବେ ପୁଣି ଏକ ଅଭିଯୋଗ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଏତେ ବିବାଦ ପରେ ବି ପଦଯାତ୍ରାରେ ୨୪ ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ ଘୋଷଣା କରି ତାଙ୍କୁ ଜିତାଇବାକୁ ନିମାପଡାରେ ଲୋକଙ୍କୁ ଅପିଲ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯାହାକୁ ନେଇ ଉଭୟ ସମୀର ଦାଶ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମହିଳା ନିର୍ଯାତନା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ହୁଅନ୍ତୁ କି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ନା ପୋଲିସ ନା ଦଳ କିଛି ବି କାର୍ଯ୍ୟନୁଷ୍ଠାନ ନେଉ ନାହାନ୍ତି । ସମୀର ଦାଶଙ୍କ ବିରୋଧରେ ବି ୯ ତାରିଖରୁ ଏତଲା ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ନାହିଁ । ଏ ସଂପର୍କରେ ବିଧାୟକ ସମୀର ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।