• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏପଟେ ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ କଣ ହେବ ଗଞ୍ଜାମ ବିଜେଡି ରାଜନୀତିର ଭବିଷ୍ୟତ ? ଆଜି ନୁହେଁ, ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର ପରେ ଗଞ୍ଜାମରେ ବିଗିଡିଯାଇଥିବା ବିଜେଡି ଗଣିତ ସୂର୍ଯ୍ୟଙ୍କ ଅସୁସ୍ଥତା ପରଠୁ ଆହୁରି ଜଟିଳ ହୋଇଥିଲା । ତେଣୁ ସୂର୍ଯ୍ୟଙ୍କ ଅବର୍ତ୍ତମାନ, ଅସଜଡ଼ା ଗଞ୍ଜାମ ବିଜେଡି ଉପରେ କି ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ।

ଗଞ୍ଜାମରେ ବିଜେଡି ରାଜନୀତିର ଆନ୍ନା ସୂର୍ଯ୍ୟ ନାରାୟଣ ପାତ୍ର । ଛାତ୍ର ରାଜନୀତିରୁ କାଉନସିଲର । ସାତ ସାତଥରର ବିଧାୟକ । ତା’ପରେ ବାଚସ୍ପତି । ନବୀନ ଶାସନରେ ସର୍ବାଧିକ ସମୟ ଧରି ମନ୍ତ୍ରିପଦରେ ରହିଥିବା ନେତା । ଥାତି ଓ ଖ୍ୟାତି ଏମିତି ଯେ ବିଜେଡିରୁ ରାମକୃଷ୍ଣ ପଟ୍ଟନାୟଙ୍କ ବିଦାୟ ପରଠୁ ସୂର୍ଯ୍ୟଙ୍କ ଚାରିପଟେ ଯେମିତି ବୁଲୁଥିଲା ଗଞ୍ଜାମ ବିଜେଡି ରାଜନୀତି । ଏକଦା ମୁଖ୍ୟମନ୍ତ୍ରୀ ନବୀନଙ୍କ ଘନିଷ୍ଠ ସହଯୋଗୀ ଭାବେ ଜିଲ୍ଲାରେ କାହାକୁ କେଉଁଠି ପ୍ରାର୍ଥୀ  କରାଯିବ, ସଂଗଠନ କେମିତି ମଜଭୁତ ହେବ ସବୁର ଚାବି ଥିଲା ସୂର୍ଯ୍ୟଙ୍କ ହାତରେ ।

ଖାଲି ଗଞ୍ଜାମ କାହିଁକି ପୂରା ଦକ୍ଷିଣ ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବାରେ ସୂର୍ଯ୍ୟଙ୍କ ଉପରେ ଭରସା କରୁଥିଲା ଦଳ । ଏମିତିକି, ରାଜ୍ୟସ୍ତରରେ ବି ଦଳୀୟ ସଂଗଠନକୁ ମଜଭୁତ କରିବା ଦିଗରେ ଯାହା କିଛି ଦାୟିତ୍ୱ ମିଳୁଥିଲା ତାକୁ ସୂଚାରୁ ରୂପେ ତୁଲାଉଥିଲେ । ସାରା ଓଡ଼ିଶା ବୁଲି କାମ କରୁଥିଲେ ଏଇ ତୁଙ୍ଗ ନେତା । ତେଣୁ ତାଙ୍କ ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା ।

ସୂର୍ଯ୍ୟଙ୍କ ଦେହାନ୍ତ ଗଂଜାମ ବିଜେଡିକୁ ଶକ୍ତ ଧକ୍କା ସଦୃଶ ହୋଇଛି । କାରଣ ଏମିତି ବି ଦଳରୁ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପରଠୁ ଜିଲ୍ଲାରେ ଦଳୀୟ ରାଜନୀତି ପୂରା ଗୋଳିଆ । ବୟସାଧିକ୍ୟ କାରଣ ପାଇଁ ରମେଶ ଚ୍ୟାଉପଟ୍ଟନାୟକ ଓ ଉଷା ଦେବୀ ସେତେଟା ସକ୍ରିୟ ନାହାଁନ୍ତି । ପୁଣି କିଛି ଦିନ ଧରି ମନ୍ତ୍ରୀ ହୋଇଥିବା ଶ୍ରୀକାନ୍ତ ସାହୁ ମହିଳା ବିରୋଧୀ ଅପରାଧ ବିବାଦରେ ଫସିବାକୁ ନେଇ ବି ଅସୁବିଧାରେ ବିଜେଡି । କଂଗ୍ରେସରୁ ଆସି ନେତା ହୋଇଥିବା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କୁ ଭରସା କରିପାରୁ ନାହାନ୍ତି ବିଜେଡି କର୍ମୀ ।

ଏବେ ସ୍ଥିତି ସୁଧାରିବାକୁ ଦଳ ଯେଉଁ ଯେଉଁ ଷ୍ଟ୍ରାଟେଜି ନେଉଛି ସବୁତକ ଫେଲ୍ ମାରୁଥିବା କୁହାଯାଉଛି । ଏପରିକି ଫାଇଭ୍ ଟି ସଚିବଙ୍କ ଜିଲ୍ଲା ଗସ୍ତରେ ବି ସବୁଠୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କ ଦେହାନ୍ତରେ ଦଳ ଗଞ୍ଜାମରେ ନେତୃତ୍ୱଶୂନ୍ୟ ହୋଇପଡ଼ିଛି । ତେଣୁ ତାଙ୍କ ଅବର୍ତ୍ତମାନରେ ୨୪ ନିର୍ବାଚନ ପୂର୍ବରୁ ଅସଜଡ଼ା ଗଞ୍ଜାମ ସଂଗଠନକୁ ସଜାଡ଼ିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

ସୂର୍ଯ୍ୟଙ୍କ ନିଜ ନିର୍ବାଚନ ମଣ୍ଡଳୀ ଦିଗ ପହଣ୍ଡିରେ ବି ଗୋଷ୍ଠୀ କନ୍ଦଳ ତୀବ୍ର । ବିପିନ ପ୍ରଧାନ ଓ ସୂର୍ଯ୍ୟଙ୍କ ପୁଅ ବିପ୍ଳବଙ୍କ ଗୋଷ୍ଠୀ ମଧ୍ୟରେ ଛକାପନ୍ଝା । ଏଭଳି ସ୍ଥିତିରେ ବିପ୍ଳବ ସ୍ଥାନୀୟ ସଂଗଠନକୁ ଆଗକୁ କିଭଳି ନେବେ ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।