• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ବିଜେଡି ପ୍ରସ୍ତୁତ କରୁଛି କି ଏକ ବଡ଼ ପଲିଟିକାଲ୍ ଫୋର୍ସ ? ବିଭିନ୍ନ ଜିଲ୍ଲାର SHG ସଦସ୍ୟାମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । କୁହାଯାଉଛି ଯେ, ଆଗକୁ ଏହି ସଦସ୍ୟାମାନେ ହିଁ ବିଜେଡି ପାଇଁ ବୁଥ୍ ଓ ପଞ୍ଚାୟତ ଜଗିବେ । ତୃଣମୂଳ ସ୍ତରରେ କିଏ କଣ କରୁଛି, ତା ଉପରେ ମଧ୍ୟ ନଜର ରଖିବେ । SHG ସଦସ୍ୟାମାନଙ୍କ ନବୀନ ନିବାସରେ ଏଭଳି ବୈଠକକୁ ନେଇ ବର୍ଷିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି, ବିଜେଡି ସେମାନଙ୍କୁ ଗୁପ୍ତଚର ଭାବେ ବ୍ୟବହାର କରୁଛି ।

ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍‌ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ?

କୁହାଯାଉଛି ଯେ, ମହିଳା ସଶକ୍ତୀକରଣ ନାଁରେ ବିଜେଡି ସରକାର ହାତରେ ଏବେ ରହିଛନ୍ତି ପ୍ରାୟ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏହା ଅନ୍ତର୍ଗତ ପାଖାପାଖି ୭୦ ଲକ୍ଷ ସଦସ୍ୟ । ସେମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭ କରି ବିଦ୍ୟୁତ ମିଟର ରିଡିଂ ଆଦି ବିଭିନ୍ନ ପ୍ରକାର ଦାୟିତ୍ୱ ଦେଇଛନ୍ତି । ତେବେ ଅଭିଯୋଗ ହେଉଛି ଯେ, ଏହା ପଛରେ ରହିଛି ବିଜେଡିର ରାଜନୈତିକ ଅଭିସନ୍ଧି ।

 

ଚର୍ଚ୍ଚା ହେଉଛି ୨୦୨୪ ନିର୍ବାଚନରେ SHG ସଦସ୍ୟାମାନଙ୍କୁ ନିଜର ଏକ ବଡ଼ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହୁଁଛି ବିଜେଡି । ବିଶେଷ କରି ସରକାର ବିରୋଧୀ ହାୱା ଓ ଶାସକ ଦଳର ବିଧାୟକଙ୍କ ବିରୋଧରେ ଥିବା ଜନ ଅସନ୍ତୋଷକୁ ପ୍ରତିହତ କରିବା ଲାଗି ଏମାନଙ୍କ ଉପରେ ଭରସା କରୁଛି ଦଳ ।

କୁହାଯାଉଛି ଆଗକୁ ବୁଥ୍ ଓ ପଞ୍ଚାୟତସ୍ତରରେ ଏମାନେ ହିଁ ଏକ ପ୍ରକାର ଜଗୁଆଳିର କାମ କରିବେ । ସେମାନେ ନା କେବଳ ବିରୋଧୀ ବିଜେପି ଓ କଂଗ୍ରେସ୍‌ର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବେ, ବରଂ ବିଜେଡି ନେତା ଓ କର୍ମୀଙ୍କ କାମ ଓ ଆଚରଣ ଉପରେ ବି ଫୋକସ୍ କରିବେ । ବିଶେଷ କରି ସରକାରୀ ଯୋଜନାଗୁଡ଼ିକରୁ କେଉଁମାନେ ବଂଚିତ ହେଉଛନ୍ତି, ଯୋଜନା ସଠିକ୍ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ କଥା ଜଣାଇବେ । ଅପରପକ୍ଷେ SHGଗୁଡ଼ିକୁ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ କରି ବିଜେଡି ଉପରେ ବର୍ଷିଛନ୍ତି ବିରୋଧୀ । ବିଜେପି ନେତା ପ୍ରଦୀପ ପୁରୋହିତ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଏମାନଙ୍କୁ ଗୁପ୍ତଚର ଭାବେ ବ୍ୟବହାର କରୁଛି ବିଜେଡି ।

ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ବି ଏସ୍ଏଚଜି ସଦସ୍ୟାମାନେ ଭାଗ ନେଉଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପୁରସ୍କୃତ ହୋଇ ଫେରିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଭୁବନେଶ୍ୱରରେ ଯେଉଁ ଭବ୍ୟ ଆୟୋଜନ ହୋଇଥିଲା, ସେଥିରେ ମଧ୍ୟ ଖୋଲାଖୋଲି ଭାବେ ଶହଶହ ସ୍ୱୟଂ ସହାୟିକା ସାମିଲ ହୋଇଥିଲେ । ସେପଟେ ବିରୋଧୀଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ବିଜେଡି ।

ବିଜେଡିର ବଡ଼ ଭୋଟ୍ ବ୍ୟାଙ୍କ ହେଉଛନ୍ତି ମହିଳା । ଗତ ନିର୍ବାଚନ ସମୟରେ ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ଦେବାକୁ ଦାବି କରିଥିଲା ବିଜେଡି । ତାଛଡ଼ା ଦଳ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ଟିକଟ ମହିଳାଙ୍କୁ ଦେଇଥିଲା । ଆଗକୁ ମହିଳାଙ୍କୁ ନେଇ ବିଜେଡି ଆଉ ଏକ ବଡ଼ କାର୍ଡ ଖେଳି ପାରେ ବୋଲି ଚର୍ଚ୍ଚା ହେଉଛି ।

(ରିପୋର୍ଟର- ହରିହର ଚାନ୍ଦ, ଭୁବନେଶ୍ୱର)