• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡିରେ ଗୋଷ୍ଠୀ କନ୍ଦଳ ବଢୁଥିବା ବେଳେ ତାର ସମାଧାନ ପାଇଁ ତାଳିପକା ଉଦ୍ୟମ । ଖାସ୍ କରି ବିଜେଡି ସଂଗଠନ ସଂପାଦକଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ବେଳେ ଯେଭଳି ସ୍ଥିତି ଉପୁଜିଥିଲା ତା’ର ସମାଧାନ ପାଇଁ ଆଜି ଶଙ୍ଖ ଭବନରେ ବସିଥିଲା ବୈଠକ । ସେପଟେ କେନ୍ଦ୍ର ଅବହେଳାକୁ ବଡ଼ ପ୍ରସଙ୍ଗ କରି ଯୁବ ବିଜେଡି ଆଗକୁ ବଡ଼ ଆନ୍ଦୋଳନ କରିବ ବୋଲି ଦଳର କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ଏହାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବିଜେପି ।

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ପ୍ରତି ନିର୍ବାଚନ ମଣ୍ଡଳୀରେ ରହିଛି ଅନ୍ତର୍ଦ୍ୱନ୍ଦ୍ୱ ! ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ । ସମ୍ବଲପୁରର ବିଭିନ୍ନ ସ୍ଥାନରେ ପ୍ରଣବଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି ସତେ ଯେମିତି ପ୍ରତିଯୋଗିତା ଲାଗି ରହିଥିଲା ଏମିତି କି ବରଗଡ଼ ଓ ଝାରସୁଗୁଡ଼ା ନେତା ବି ସମ୍ବଲପୁରରେ ପହଞ୍ଚି ମାମଲାତି ଦେଖାଇଥିଲେ । ଯାହାକୁ ନେଇ ଅସନ୍ତୋଷ ବଢିଥିଲା । ଗସ୍ତରୁ ଫେରିବାପରେ ଆଜି ଶଙ୍ଖ ଭବନରେ ବସିଥିଲା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ସମ୍ବଲପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ରେଢାଖୋଲ, କୁଚିଣ୍ଡା, ସମ୍ବଲପୁର ଓ ରେଙ୍ଗାଲି ଉପରେ ହୋଇଛି ବିସ୍ତୃତ ଆଲୋଚନା । ମତଭେଦ ଦୂର କରି, ସମନ୍ୱୟ ରକ୍ଷା କରି କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । କାରଣ ସମ୍ବଲପୁର ନିର୍ବାଚନ ମଣ୍ଡଳୀରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜୟୀ ହୋଇଥିବାବେଳେ ରେଙ୍ଗାଲିରୁ ବିଜେପିର ନାଉରୀ ନାୟକ ବିଧାୟକ ଅଛନ୍ତି । ଆଉ ସମ୍ବଲପୁର ଲୋକସଭା ସିଟ୍ ମଧ୍ୟ ବିଜେପି ଖାତାକୁ ଯାଇଥିଲା । ଜିଲ୍ଲାରେ ବିଜେପିର ସଙ୍ଗଠନ ମଜଭୁତ ଥିବାରୁ ବିଜେଡିକୁ ଭୟ ଘାରିଥିବା ଚର୍ଚ୍ଚା ହେଉଛି । ବିଜେପି ବିଧାୟକ ନାଉରୀ ନାୟକ ମଧ୍ୟ ବିଜେଡିରେ ଗୋଷ୍ଠୀ କନ୍ଦଳ ଥିବା ଅଭିଯୋଗ କରିଛନ୍ତି ।

ସେପଟେ ଆଜି ଯୁବ ବିଜେଡିର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ଅବହେଳା ବିରୋଧରେ ଲଢେଇ କରିବାକୁ ନିଷ୍ପତ୍ତି ହୋଇଛି । ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ଦରଦାମ୍ ବୃଦ୍ଧି, ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଆଦି ପ୍ରସଙ୍ଗରେ କେନ୍ଦ୍ରର ଆଭିମୁଖ୍ୟକୁ ନିନ୍ଦା କରାଯାଇଛି । କେନ୍ଦ୍ର ଅବହେଳା ନେଇ ଯୁବ ବିଜେଡି ଆଗକୁ ବଡ଼ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ବିଜେପି ଏସବୁର ଜବାବ ରଖିବା ସହ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛି ।

ଆଗାମୀ ଦିନରେ ଯୁବ ବିଜେଡି ବନାମ୍ ବିଜେପି ଯୁବ ମୋର୍ଚ୍ଚା ଭିତରେ ରାଜରାସ୍ତାରେ ଲଢ଼େଇ ହେବା ସ୍ପଷ୍ଟ । ଏଥିରେ କାହାକୁ କେତେ ଫାଇଦା ମିଳିବ ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

 

  • Reported by:
  • HARIHARA CHAND , SOUMYA RANJAN SAHOO , BIBARTAN PANDA