• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଛି ପ୍ରକଳ୍ପ ରାଜନୀତି । ଜିଲ୍ଲାକୁ ଜିଲ୍ଲା ବୁଲି ମୁଖ୍ୟମନ୍ତ୍ରୀ BSKY କାର୍ଡ ବାଣ୍ଟିଲା ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଜାରି ରଖିଛନ୍ତି । ଆଜି ବଡମ୍ବା ଗୋପିନାଥପୁରଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଦୀର୍ଘତମ ସେତୁର ଉଦ୍‌ଘାଟନ କରିଛନ୍ତି । ମହାନଦୀ ଉପରେ ନିର୍ମିତ T ଆକାରର ଏହି ସେତୁର ଲମ୍ବ ୩.୪ କିଲୋମିଟର ହୋଇଥିବା ବେଳେ ଏଥିରେ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ କରିବା ସହ ମହାନଦୀରେ ଅବସ୍ଥିତ ସିଂହନାଥ ପୀଠ ବି ଏହା ଦ୍ୱାରା ଯୋଡି ହୋଇଛି । ସେତୁଦ୍ୱାରା ୫ ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ସୁବିଧା ହେବା ସାଙ୍ଗକୁ କୃଷି, ବାଣିଜ୍ୟ  ଓ ପର୍ଯ୍ୟଟନର ବିକାଶ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେପଟେ ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଅନ୍ତର୍ଗତ ଡାକ୍ତରମାନେ ବିମାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବେ । ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହି ସୁବିଧା ମିଳିବ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଯୋଜନାର ଶୁଭାରମ୍ଭ ପରେ ଡାକ୍ତରୀ ଦଳ ଜୟପୁର ଏୟାର ଷ୍ଟ୍ରିପ୍‌ରେ ଓହ୍ଲାଇ ମାଲକାନଗିରି ଯାଇଛନ୍ତି ।

ତେବେ ୨୦୧୪ରେ ଭିତ୍ତପ୍ରସ୍ତର ପଡିଥିବା ସେତୁକୁ ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ କରାଯିବାକୁ ନେଇ ଉଠିଛି ପ୍ରଶ୍ନ । ତେଣେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ସାଙ୍ଗକୁ ଡାକ୍ତର ନାହାନ୍ତି । ଉପାନ୍ତ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚୁ ନଥିବାରୁ ଗର୍ଭବତୀ ଖଟିଆରେ ବୁହା ହେଉଥିବା ଚିତ୍ର ନିୟମିତ ନଜରକୁ ଆସୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ମାରାତ୍ମକ ରୋଗର ଚିକିତ୍ସା ଲାଗି ସୁବିଧା ବି ନାହିଁ । ଏଭଳି ବିକଟ ଚିତ୍ର ଭିତରେ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା କଣ କାମରେ ଲାଗିବ ତାକୁ ନେଇ ବି ପ୍ରଶ୍ନ ଉଠିଛି । ପଞ୍ଚାୟତି ଭୋଟ୍ ପାଇଁ ଏହା କେବଳ ନିର୍ବାଚନୀ ଧୁଆଁବାଣ ବୋଲି ଅଭିଯୋଗ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ପଂଚାୟତ ନିର୍ବାଚନ ପୂର୍ବରୁ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ ଉଠିଛି । କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ହେଉ କି ଅନ୍ୟାନ୍ୟ ଯୋଜନା । ଭୋଟରଙ୍କୁ ଭେଳିକି ଦେଖାଇ ନିର୍ବାଚନ ବୈତରଣୀ ପାର ହେବାକୁ ଏହା ସରକାରୀ ଦଳର ଚାଲ୍ ବୋଲି ଚର୍ଚ୍ଚା ହେଉଛି ।