Advertisment

୨୦୨୪ ଭୋଟ୍ ପୂର୍ବରୁ ବିଜେଡିର ଥଇଥାନ ଷ୍ଟ୍ରାଟେଜୀ, ତିନି ଡଜନ୍ ଅସନ୍ତୁଷ୍ଟ ନେତାଙ୍କୁ ନିଗମ ଲଲିପପ୍

ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଥଇଥାନ୍ ଷ୍ଟ୍ରାଟେଜୀ । ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ଚତୁରତାର ସହ ଗୋଟି ଚାଳନା । ଚାରି ମାସର କସରତ ପରେ ଏକାଥରକେ ତିନି ଡଜନ୍ ନେତାଙ୍କୁ ଧରାଇ ଦିଆଯାଇଛି ନିଗମ ଲଲିପପ୍ । ଏହି ପ୍ରକ୍ରିୟାରେ ଗଂଜାମ ଜିଲ୍ଲାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆମଦାନୀ ନେତାଙ୍କୁ ମିଳିଛି ପ୍ରାଧାନ୍ୟ । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦକୁ ଝୁଲାଇ ରଖାଯାଇଥିବା ବେଳେ ଅନେକ ନେତାଙ୍କୁ ବାଦ୍ ଦିଆଯାଇଛି ।

Advertisment

ଚାରି ମାସର କସରତ ପରେ ଶେଷରେ ବଣ୍ଟାଯାଇଛି ନିଗମ ଲଡୁ । କେଉଁଠି ନୂଆ ମୁହଁକୁ ମୌକା ମିଳିଛି, ପୁଣି କେଉଁଠି ପୁରୁଣା ହୋଇଛନ୍ତି ରିପିଟ୍ । ଦଳର ୩୬ ଜଣ ନେତାଙ୍କୁ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ, ଉପଦେଷ୍ଟା, ସଦସ୍ୟ ଭାବେ ନିଯୁକ୍ତି ଦେଇ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଛି ବଡ଼ ଗେମ୍ । ୧୯ ନିର୍ବାଚନ ବେଳେ ରାଜ୍ୟସଭା ସଦସ୍ୟ ପାଇଁ ପ୍ରତିଶ୍ରୁତି ପାଇଥିବା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟସାଣୀ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଉଭୟଙ୍କୁ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ବହୁ ଦିନ ଧରି ଅପେକ୍ଷା କରିବା ପରେ କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ତେବେ ଏଥର ନିଯୁକ୍ତି ବେଳେ ଦଳର ଅନେକ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ପଦ ପଦବି ଦେଇ ଘର ସଜାଡ଼ା କାମକୁ ତ୍ୱରାନ୍ୱିତ କରାଯାଇଛି । ଏହି କ୍ରମରେ କଂଗ୍ରେସ ଛାଡ଼ି ଶଙ୍ଖ ଶିବିରକୁ ଆସିଥିବା ନେତାଙ୍କୁ ଦିଆଯାଇଛି ଗୁରୁତ୍ୱ । ପ୍ରଦୀପ ମାଝୀଙ୍କୁ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା କରାଯାଇଛି । ସେହିପରି ସାଧୁ ନେପାକ୍, ଚିନ୍ମୟ ସାହୁ, ସୁମିତ୍ରା ଜେନାଙ୍କୁ ବିଭିନ୍ନ ପଦବୀ ଦିଆଯାଇଛି । ସେପଟେ ଗଂଜାମ ରାଜନୀତି ଗୋଳିଆ ସ୍ଥିତିରେ ଥିବାରୁ ଜିଲ୍ଲାରୁ ୬ ଜଣ ନେତା ରମେଶ ଚ୍ୟାଉପଟ୍ଟନାୟକ, ସୁବାସ ମହାରଣା, ରାମଚନ୍ଦ୍ର ପଣ୍ଡା, ରଘୁନାଥ ନାଇଡୁ, ତୁମ୍ବନାଥ ପଣ୍ଡା ଓ ପବିତ୍ର ପାଣିଗ୍ରାହୀଙ୍କୁ ଥଇଥାନ କରାଯାଇଛି ।  

Advertisment

ବିଜେଡିର ବିଭିନ୍ନ ଛାମୁଆ ସଙ୍ଗଠନକୁ କିଛିଦିନ ତଳେ ସଂପ୍ରସାରଣ କରାଯାଇ ଜୁମ୍ବୋ ଟିମ୍ ଗଠନ କରାଯାଇଥିଲା । ଆଉ ଏବେ ବରିଷ୍ଠ ଓ ଯୁବ ଚେହେରାଙ୍କ ମଧ୍ୟରୁ ୩୬ ଜଣଙ୍କୁ ପଦ ପଦବୀ ଦିଆଯାଇଛି । କୁହାଯାଉଛି ଦଳରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା, ଧାମନଗର ଓ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ନେତାଙ୍କ ଭିତରେ ଜୋସ୍ ଭରିବା, ଆସନ୍ତା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ଏହି ନେତାଙ୍କୁ ଟିକଟ୍ ରେସ୍‌ରୁ ବାଦ ଦେବା, ଆମଦାନୀ ନେତାଙ୍କୁ ବିଜେଡିରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଉଛି ବୋଲି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏଭଳି ଗୋଟି ଚାଳନା କରାଯାଇଛି ।

ସେପଟେ ପୂର୍ବରୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ସଂଜୟ ଦାସବର୍ମାଙ୍କୁ ଏବେ କୌଣସି ପଦ ପଦବୀ ମିଳିନାହିଁ । ତାଙ୍କୁ କୌଣସି ସଂଗଠନ ଦାୟିତ୍ୱ ମଧ୍ୟ ଦିଆଯାଇନାହିଁ । ତେବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ କାହାରିକୁ ଦିଆନଯାଇ ଝୁଲାଇ ରଖାଯାଇଛି । ସେହିପରି ଅମରେନ୍ଦ୍ର ଦାସ, ପ୍ରିୟଦର୍ଶୀ ମିଶ୍ର, ଅସିତ ପଟ୍ଟନାୟକ, ଜନ୍ମେଜୟ ଲେଙ୍କା ଭଳି ନେତାଙ୍କୁ କୌଣସି ପଦବୀ ମିଳିନାହିଁ । ଦଳୀୟ ଅସନ୍ତୋଷ ଏଡ଼ାଇବାକୁ ବେଶ୍ ଚତୁରତାର ସହ କରାଯାଇଥିବା ଏ ନିଗମ ଫର୍ମୁଲା ୨୪ ନିର୍ବାନରେ କେତେ କାମ ଦେଉଛି, ତାକୁ ଅପେକ୍ଷା ।

BJD Odisha Politics
Advertisment
Advertisment