• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ପଦ୍ମପୁର ଦଖଲ କଲା ବିଜେଡ଼ି । ବାପା ବିଜୟ ରଞ୍ଜନ ସିଂ ବରିହାଙ୍କଠୁ ବି ଆଶାତୀତ ଭୋଟ୍ ପାଇ ପଦ୍ମପୁରକୁ ଅକ୍ତିଆର କରିନେଇଛନ୍ତି ଝିଅ ବର୍ଷା ସିଂ ବରିହା । ଉପ ନିର୍ବାଚନରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୭୯ ଭୋଟରେ ପରାସ୍ତ କରି ପୁରୀ ବୋହୂ ବର୍ଷା ବିଜୟ ହାସଲ କରିଛନ୍ତି । ବର୍ଷା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ ପାଇଥିବାବେଳେ ପ୍ରଦୀପ ପାଇଛନ୍ତି ୭୮ ହଜାର ୧୨୮ ଭୋଟ । ବିଜେଡ଼ି-ବିଜେପିର ଏହି ଲଢ଼େଇ ଭିତରେ ଅମାନତ ତ ଉଡ଼ିଗଲା, ୩ ହଜାର ୫୯୪ ଖଣ୍ଡ ଭୋଟ୍ ପାଇଁ ଶୋଚନୀୟ ପରାସ୍ତ ହେବାକୁ ପଡ଼ିଲା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ।

ପଦ୍ମପୁର ଉପନିର୍ବାଚନରେ ଲଗାତର ଅପରାଜେୟର ଧାରା । ବିପୁଳ ସଂଖ୍ୟକ ଭୋଟ୍ ପାଇ ବୃହତ ବ୍ୟବଧାନରେ ବାଜିମାରିଛି ବିଜେଡ଼ି । ସ୍ୱର୍ଗତ ବିଜୟ ରଂଜନ ସିଂ ବରିହା ତଥା ବାପାଙ୍କ ଆସନ ବଜାୟ ରଖିଲେ ଝିଅ ବର୍ଷା ସିଂ ବରିହା । ୪୨ ହଜାର ୬୭୯ ଭୋଟରେ ବିଜେଡ଼ି ପ୍ରାର୍ଥୀ ବର୍ଷା ବିଜୟ ଲାଭ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଏହି ବମ୍ପର ବିଜୟ ପରେ ଉତ୍ସବମୁଖର ବିଜେଡ଼ି ଶିବିର । ଝୁମୁଛନ୍ତି ନେତା, କର୍ମୀ । ନାଚ ଓ ଗୀତରେ କମ୍ପୁଛି ଦଳୀୟ କ୍ୟାମ୍ପ । ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ପାଇଥିଲା ବିଜୟର ବାସ୍ନା । ମୋଟ୍ ୨୩ଟି ରାଉଣ୍ଡ ମଧ୍ୟରୁ ଏମିତି କୌଣସି ଗୋଟିଏ ବି ରାଉଣ୍ଡ ନାହିଁ, ଯେଉଁଠି ମଥା ନୁଆଁଇ ଥିଲା ଦଳ । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ୧୭ ଶହ ୧୨ ଖଣ୍ଡ ଭୋଟରେ ଆଗରେ ଥିଲେ ବିଜୟ ରଂଜନଙ୍କ ଝିଅ ବର୍ଷା ।

ଏହାପରଠୁ ଗଣତି ଯେତେ ଯେତେ ଆଗକୁ ବଢୁଥିଲା, ପ୍ରତି ରାଉଣ୍ଡରେ ୧୭ଶହରୁ ୨୨ଶହ ଭୋଟରେ ଲିଡ୍ କରି ଚାଲୁଥିଲେ ବର୍ଷା । ଶେଷରେ ବାପାଙ୍କ ଆସନରେ ରେକର୍ଡ ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ ପାଇ ବାଜି ମାରି ନେଇଛନ୍ତି ପୁରୀ ବୋହୂ ବର୍ଷା । ତେବେ ୧୯୯୦ରେ ପଦ୍ମପୁରରେ ବିଜୟ ରଂଜନ ସିଂ ବରିହା ଯେଉଁ ପ୍ରାୟ ୩୦ ହଜାର ଭୋଟ୍ ବ୍ୟବଧାନରେ ଜିତି ରେକର୍ଡ ସୃଷ୍ଟି କରିଥିଲେ, ସେହି ରେକର୍ଡକୁ ବି ଭାଙ୍ଗିଛନ୍ତି ଝିଅ ବର୍ଷା ସିଂ ବରିହା ।

ପଦ୍ମପୁରରେ ଭୋଟର ପ୍ରବଳ ବର୍ଷାରେ ବିଜେପି ଶିବିର କିନ୍ତୁ ନିରାଶ । ଏଠି ତ ପୁରା ଧୋଇ ହୋଇଯାଇଛି କଂଗ୍ରେସ । ଗତ ୨ଟି ସାଧାରଣ ନିର୍ବାଚନର ଫଳାଫଳ ଉପରେ ଟିକିଏ ନଜର ପକାନ୍ତୁ । ୨୦୧୪ରେ ବିଜେପିରୁ ପ୍ରଦୀପ ପୁରୋହିତ ଓ ୨୦୧୯ରେ ବିଜେଡିରୁ ଦିବଂଗତ ବିଜୟ ରଂଜନ ସିଂ ବରିହା ପ୍ରାୟ ୫ ହଜାର ଭୋଟରେ ଜିତିଥିଲେ । ଅର୍ଥାତ ଉନିଶ୍ ବିଶର ହେଉଥିଲା ଲଢ଼େଇ । ଏଥର କିନ୍ତୁ ଇତିହାସ ସୃଷ୍ଟି ହୋଇଛି । ୨୦୧୯ରେ ୭୭ ହଜାର ୬୫୬ ଖଣ୍ଡ ଭୋଟ୍ ପାଇଥିବା ପ୍ରଦୀପ ପୁରୋହିତ ଏଥର ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ପାଇଛନ୍ତି । ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ଏହି ଉପନିର୍ବାଚନରେ ୪୭୨ ଖଣ୍ଡ ଭୋଟ୍ ଅଧିକ ପାଇଛନ୍ତି ।

ତେବେ କଂଗ୍ରେସ ପାଇଁ କିନ୍ତୁ ଚିନ୍ତାଜନକ ବିଷୟ ହେଉଛି, ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପୂର୍ବ ଅପେକ୍ଷା ଆଶାଠୁ ବହୁତ କମ୍ ଭୋଟ୍ ପାଇଛନ୍ତି । ୨୦୧୯ରେ ୩୨ ହଜାର ୭୮୭ ଖଣ୍ଡ ଭୋଟ୍ ପାଇଥିବା ସତ୍ୟଭୂଷଣ ଏଥର ପାଇଛନ୍ତି ମାତ୍ର ୩ ହଜାର ୫୯୪ ଭୋଟ୍ । ଅର୍ଥାତ ୩୦ ହଜାର ଅଙ୍କ ଛୁଇଁବା ତ ଦୂରର କଥା, ଅମାନତ ବି ରହିଲାନି ।

ରାଜନୀତିରେ ଧାର ଧରିନଥିବା ନବାଗତା ବର୍ଷା ପଦ୍ମପୁର ଉପନିର୍ବାଚନରେ ଇତିହାସ ରଚିଥିବାବେଳେ ଏହି ବିଜୟ ୨୪ ନିର୍ବାଚନ ପୂର୍ବରୁ ବିଜେଡ଼ିକୁ କେତେ ଉତ୍ସାହିତ କରୁଛି ଏବଂ ବିରୋଧୀ ନିଜ ତ୍ରୁଟିକୁ କେମିତି ସୁଧାରୁଛନ୍ତି, ତାକୁ ଅପେକ୍ଷା ।