Advertisment

ବିଜେଡି ନେତାଙ୍କ ମୁହଁରେ ତାଲା: ବିଶୃଙ୍ଖଳା ସାଙ୍ଘାତିକ

ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

BJD

ଭାଙ୍ଗୁଛି କି ବିଜେଡି ବନ୍ଧ ? ଜଣକ ପରେ ଜଣେ ବରିଷ୍ଠ ନେତା ଓ ଜନ ପ୍ରତିନିଧି ଦଳୀୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେଣି। ଭୁବନେଶ୍ୱରରେ ବିଜେଡି କର୍ପୋରେଟରଙ୍କ କଳି ଏମିତି ତେଜିଲା ଯେ, ମୁହଁରେ ତୁଣ୍ଡି ବାନ୍ଧିବା ଲାଗି ଦଳ ଲଗାଇଛି ଫତୱା। ତଥାପି ଅସନ୍ତୋଷ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ଧରୁନି।

Advertisment

ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା। ଅମରେଶଙ୍କ ଧାରାରେ ଚାଲି ବିଜେଡିର ବରିଷ୍ଠ କର୍ପୋରେଟର ବିରଞ୍ଚି ଆଜି କୁଚକ୍ରୀ ଗୋଷ୍ଠୀଙ୍କ ଗୋହି ଖୋଳିଛନ୍ତି। ନାଁ ନନେଇ ଏକାମ୍ର ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି।

ଗତକାଲି ବିଜେଡି କର୍ପୋରେଟରଙ୍କ ଗୋଟିଏ ଗୋଷ୍ଠୀ ସମୂହ ସାମ୍ବାଦିକ ସମ୍ମିଳନୀ କରି ଅମରେଶ ଓ ବିରଞ୍ଚି ଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ। ଯାହାକୁ ଆଜି କାଉଣ୍ଟର କରିଛନ୍ତି ବିରଞ୍ଚି। କାହା ନିର୍ଦ୍ଦେଶରେ ବିଜେଡି କର୍ପୋରେଟର ମାନେ ସାମ୍ବାଦିକ ସମ୍ମିଳନୀ କଲେ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ଖାଲି ସେତିକି ନୁହେଁ ପରାଜିତ ନେତା ନିଜ ପରାଜୟର ସମୀକ୍ଷା ନକରି ଦଳକୁ ଦୁଇ ଭାଗ କରୁଥିବା କଥାକୁ ପୁଣି ଥରେ ଦୋହରାଇଛନ୍ତି ବିରଞ୍ଚି। ମେୟର କିନ୍ତୁ ସମସ୍ତ ବିଜେଡି କର୍ପୋରେଟର ଏକ ଥିବାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏଣେ କୌଣସି କର୍ପୋରେଟର ଦଳପତିଙ୍କ ବିନା ପରାମର୍ଶରେ ଗଣମାଧ୍ୟମ ଆଗରେ ବୟାନ ଦେଇପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ।

ରାଜଧାନୀରେ ବିଜେଡି କର୍ପୋରେଟରଙ୍କ କଳିରୁ ସ୍ପଷ୍ଟ ଯେ, ଦଳରେ ସବୁ କିଛି ଠିକ୍‌ଠାକ୍ ଚାଲିନି। ସତେ ଯେମିତି ମୁରବୀଶୂନ୍ୟ ହୋଇପଡିଛି ଦଳ। ନିର୍ବାଚନରେ ପରାଜୟ ପରେ ଏବେ ଅସନ୍ତୁଷ୍ଟ ନେତା ଯେମିତି ଯୁଦ୍ଧଂ ଦେହି ଡାକରା ଦେଇ ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରୁଛନ୍ତି। ନିର୍ବାଚନ ପରାଜୟ ଲାଗି ଦଳ ପକ୍ଷରୁ ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏଯାଏଁ ସମୀକ୍ଷା ହୋଇନଥିବାରୁ ବିବାଦ ବଢୁଛି। ଶଶୀଭୂଷଣ ବେହେରା, ପ୍ରଭାତ ବିଶ୍ୱାଳଙ୍କ ଭଳି ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ବିଶୃଙ୍ଖଳାକୁ ନେଇ କଡା ସମାଲୋଚନା କରୁଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ନବୀନ ଏଯାଏଁ ଯେହେତୁ ଦଳର ସଦସ୍ୟମାନଙ୍କ ପାଖରେ ଆଭିମୁଖ୍ୟ ସ୍ପଷ୍ଟ କରିପାରି ନାହାଁନ୍ତି, ସେଇଥିପାଇଁ ଏ ବିଶୃଙ୍ଖଳା।

ଶାସକରୁ ବିରୋଧୀ ଦଳକୁ ଯିବା ପରେ ଏବେ ବିଜେଡି ଡଙ୍ଗାକୁ ବହୁ ନେତା ଏବେ ଭରସା କରିପାରୁନଥିବା ଚର୍ଚ୍ଚା ହେଉଛି। ତେବେ ଦଳ ପରାଜୟର ସମୀକ୍ଷା କରି ନେତା ଓ କର୍ମୀଙ୍କ ଭିତରେ ପୂର୍ବ ଯୋଶ୍ ଫେରାଇ ଆଣିପାରୁଛି କି ନାହିଁ, ତା ଉପରେ ନଜର।

BJD Odisha Politics
Advertisment
Advertisment