• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜୁ ଜନତା ଦଳ ବା ବିଜେଡି । ବିଜୁବାବୁଙ୍କ ନାଁରେ ଏହି ଦଳ ଗଠନ କରାଯାଇଥିଲା । ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଆସି ଏହି ଦଳର ସଭାପତି ହୋଇଥିଲେ । ଏହି ଦଳ ବିଜୁବାବୁଙ୍କ ଆଦର୍ଶକୁ ପାଥେୟ କରି ଚାଲିବ ବୋଲି ଘୋଷଣା କରାଯାଇଥିଲା । ତାହା ହିଁ ଥିଲା ବିଜେଡିର ଆଭିମୁଖ୍ୟ । 1997 ମସିହା ଡିସେମ୍ୱର 26 ତାରିଖରେ ଜନ୍ମ ନେଇଥିଲା ବିଜେଡି । ଏହା ପରେ ବିଜେପି ସହ ମେଣ୍ଟ କରିଥିଲା । କ୍ଷମତାକୁ ବି ଆସିଥିଲା । ତା ପରେ ଧୀରେ ଧୀରେ ଦୂରେଇ ଯାଇଥିଲା ବିଜୁବାବୁଙ୍କ ଆଦର୍ଶରୁ ।

ବିଜୁବାବୁ ସାଧାରଣ ଲୋକଙ୍କ ସହ ମିଶୁଥିଲେ

ବିଜୁବାବୁ ଜଣେ ରାଜନୈତିକ ନେତା ହିସାବରେ ଓ ମୁଖ୍ୟମନ୍ତ୍ରୀ ହିସାବରେ ସାଧାରଣ ଲୋକଙ୍କ ସହ ମିଶୁଥିଲେ । ତାଙ୍କ ସହ କଥା ହେଉଥିଲେ । ଏପରିକି ରାସ୍ତାରେ ଯାଉଥିବା ବେଳେ ଗାଡି ଅଟକାଇ ଲୋକଙ୍କୁ ସିଧାସଳଖ ଭଲମନ୍ଦ ପଚାରୁଥିଲେ । ଲୋକଙ୍କ ଦୁଃଖ ଶୁଣି ତୁରନ୍ତ ପଦକ୍ଷେପ ନେଉଥିଲେ । ଥରେ ଜଣେ ଆଦିବାସୀ ମହିଳାଙ୍କ କଥା ଶୁଣି ସେ ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନର ବିଜେଡି ସରକାର କିନ୍ତୁ ଏ ସବୁରୁ ବହୁ ଦୂରରେ । ଏବେ ବିଜେଡିର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ମିଶିବା ଓ କଥା ହେବା ସ୍ୱପ୍ନ ଭଳି ଲାଗୁଛି । ମୁଖ୍ୟମନ୍ତ୍ରୀ ବିଧାନସଭା ଆସିବା ବି ବନ୍ଦ କରିଦେଇଛନ୍ତି ।

ବିଜୁବାବୁ କହିଥିଲେ ଗରିବର ଜାତି ନାହିଁ

ବିଜୁବାବୁ ସ୍ପଷ୍ଟବାଦୀ ଥିଲେ । 1991 ମସିହାରେ ସେ ମଣ୍ଡଳ କମିଶନକୁ ବିରୋଧ କରିଥିଲେ । ସେ କହୁଥିଲେ, ଗରିବର ଜାତି ନାହିଁ । ଏବେ ବିଜେଡି ଜାତିଭିତ୍ତିକ ସଂରକ୍ଷଣ କଥା କହୁଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି କାର୍ଡ ଖେଳୁଛି ବିଜେଡି । ସତରେ କଣ ବିଜୁବାବୁ ଏହା ଚାହୁଁଥିଲେ ? ବିଜୁବାବୁ କିନ୍ତୁ ପଞ୍ଚାୟତରେ ମହିଳାଙ୍କ ପାଇଁ ସଂରକ୍ଷଣ କରି ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ ।

ମନ୍ତ୍ରୀଙ୍କୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ

ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ମନ୍ତ୍ରୀ ମାନଙ୍କ ସହ ପରାମର୍ଶ କରି ନିଷ୍ପତ୍ତି ନେଉଥିଲେ । ସବୁ କଥାରେ ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ଦେଉଥିଲେ । ଏବେ କିନ୍ତୁ ମନ୍ତ୍ରୀମାନେ ଗୁରୁତ୍ୱ ହରାଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି । ବିଜେଡି ସରକାରରେ ବ୍ୟୁରୋକ୍ରାଟ ମାନେ ଅଧିକ ପ୍ରଭାବଶାଳୀ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି ।

ବିଜୁବାବୁ ଦଳବଦଳକାରୀଙ୍କୁ ପ୍ରଶୟ ଦେଉନଥିଲେ

ବିଜୁବାବୁ ପ୍ରଥମେ କଂଗ୍ରେସ ଦଳରେ ଥିଲେ । କଂଗ୍ରେସ ଛାଡି ଉତ୍କଳ କଂଗ୍ରେସ ଗଢିଥିଲେ । ପରେ ଜନତା ପାର୍ଟି ଓ ଜନତା ଦଳରେ ଥିଲେ । ସେ ତାଙ୍କର ସହକର୍ମୀମାନଙ୍କୁ ଭଲ ପାଉଥିଲେ । ସେ ସମୟରେ ବିଜୁବାବୁ ବହୁ ଟାଣୁଆ ନେତାଙ୍କୁ ତିଆରି କରିଥିଲେ । ତାଙ୍କ ଚିନ୍ତାଧାରାରେ ସେମାନଙ୍କୁ ଗଢିଥିଲେ । ସେମାନେ ବିଜୁବାବୁଙ୍କର ଅନୁଗାମୀ ଥିଲେ । ବିଜୁବାବୁ ଦଳବଦଳକାରୀମାନଙ୍କୁ ପ୍ରଶୟ ଦେଉନଥିଲେ । ସେ ତାଙ୍କ ସହକର୍ମୀଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ । ନିର୍ଦ୍ଦିଷ୍ଟ ବିଚାରଧାରାରେ ବିଶ୍ୱାସ ରଖୁଥିଲେ । ଅନ୍ୟ ଦଳର ନେତାଙ୍କୁ ଆଣି ଦଳରେ ମିଶାଇବାକୁ ସେ ପସନ୍ଦ କରୁନଥିଲେ । ଏବେ କିନ୍ତୁ ସ୍ଥିତି ଓଲଟା । ଜିତିବା ସମ୍ଭାବନା ଥିବା ନେତାଙ୍କୁ ଅନ୍ୟ ଦଳରୁ ଆଣି ବିଜେଡିରେ ମିଶାଯାଉଛି । ଏଥିରେ ବିଜେଡି ରାଜ୍ୟରେ ରେକର୍ଡ କରିଥିବା ସାଧାରଣରେ ଆଲୋଚନା ହେଉଛି । ଯେଉଁମାନେ ଦୀର୍ଘଦିନ ହେଲା ଦଳରେ ଅଛନ୍ତି, ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।