• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେଡି ନେତାଙ୍କ ମୁହଁରେ ବିଜେପି ରାଜନୀତିର ଚାଣକ୍ୟଙ୍କ ପ୍ରଶଂସା । ଅମିତ ଶାହଙ୍କ ସଫଳତାର ରହସ୍ୟ ବଖାଣିଲେ ବିଜେଡି  ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । 'ଅମିତ ଶାହ ଓ ବିଜେପି ଯାତ୍ରା' ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଏକ ଖବର କାଗଜର ସମ୍ପାଦକ ତଥା ବିଜେଡ଼ି ବିଧାୟକ ନିଜର ଅଭିଭାଷଣ ରଖିଛନ୍ତି । ଆଜିକାଲିର ନେତାଙ୍କୁ ରାଜନୀତି ପାଠ ପଢ଼ାଇବା ସହ ଶାହଙ୍କ ବହି ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି । କେମିତି ନେତାମାନେ ରାଜନୀତିରେ ଏବେ ପବନ ଖୋଜୁଛନ୍ତି କହି ସେ କଟାକ୍ଷ କରିଛନ୍ତି । ଅର୍ଥାତ ନେତାମାନେ ହାୱାମୁହାଁ ହେଉଛନ୍ତି ।

ବିଜେପି କରିଥିବା ସଂଗଠନ, ସଂଘର୍ଷ ଓ ସଂରଚନା କଥା ଉଦାହରଣ ଦେଇଛନ୍ତି । ପ୍ରକୃତ ରାଜନୀତି ପାଇଁ ଅମିତ ଶାହଙ୍କ ମାର୍ଗଦର୍ଶନ ଅନୁସାରେ ପ୍ରବାସ କରିବାକୁ ପଡ଼ିବ । ମାଇଲ ମାଇଲ୍‌ ବାଟ ଚାଲି ଲୋକଙ୍କ ନିକଟତର ହେବା ସହ ତଳ ସ୍ତରର ଲୋକଙ୍କ ସହ ଯୋଡ଼ି ହେବାକୁ ପଡ଼ିବ । ହେଲେ ଏସବୁ କଥା ଗୁଡ଼ିକ ନେତାଙ୍କୁ ସୁହାଉନି । ସେମାନେ କେବଳ ପବନ ଖୋଜୁଛନ୍ତି । ଏପରି ମାନସିକତା ବଦଳାଇବାକୁ ପଡ଼ିବ । ଅମିତ ଶାହଙ୍କ ପୁସ୍ତକରେ ସବୁ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି  ଅନ୍ୟ ଦଳର ଲୋକେ ଏହି ବହି ପଢ଼ିବା ଆବଶ୍ୟକ ବୋଲି ସୌମ୍ୟରଞ୍ଜନ କହିଛନ୍ତି ।

ସୌମ୍ୟରଞ୍ଜନ ଏକଥା ମଧ୍ୟ କହିଛନ୍ତି, ସେ ରାଜନୀତି ବିଜ୍ଞାନର ଅଧ୍ୟାପକ ହୋଇଥଇଲେ ମଧ୍ୟ ଏ ପାଠ ଏବେ ଆଉ ବାସ୍ତବ ରାଜନୀତିରେ କାମରେ ଆସୁନି ।  ବର୍ତ୍ତମାନ ନିର୍ବାଚନ ଜିତିବା ଏବେ ରାଜନୈତିକ ଦଳର ମୂଳମନ୍ତ୍ର ହୋଇଯାଇଛି । ଏଥିରେ ସଂସ୍କାର ନଆସିଲେ ଗଣତନ୍ତ୍ର ଅଧିକ ଦିନ ତିଷ୍ଠି ପାରିବ ନାହିଁ । ସରପଞ୍ଚ ନିର୍ବାଚନ ଜିତିବା ପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ । ରାଜନୀତିକୁ ବୃତ୍ତି କରି 24*7 କାମ କରିବାକୁ ପଡ଼ିବ । ଯାହାକି ଅମିତ ଶାହଙ୍କ ଉପରେ ଆଧାରିତ ଏହି ବହିରେ ଉଲ୍ଲେଖ ଅଛି । ଗଣତନ୍ତ୍ର ଓ ରାଜନୀତି ସମ୍ପର୍କରେ ରାଜନୀତି ବିଜ୍ଞାନରେ ଯାହା ସବୁ ପଢା ଯାଉଥିଲା ସେ ସବୁ ଆଉ ଘଟୁ ନାହିଁ ।

ଏହି ସମାରୋହରେ ବହୁ ବିଜେପି ନେତାମାନେ ଯୋଗଦେଇଥିଲାବେଳେ ଏକମାତ୍ର ବିଜେଡି ନେତା ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ । ସେ ଅମିତ ଶାହଙ୍କର ଢେର୍ ଗୁଣଗାନ କରିଥିଲେ । ଏକଦା ସୌମ୍ୟରଞ୍ଜନ ବିଜେପିରେ ବି ଥିଲେ । ତେଣୁ ଓଲ୍ଡ ବଏଜ୍ ଆସୋସିଏସନରେ ଯୋଗ ଦେଲାଭଳି ତାଙ୍କୁ ଲାଗୁଛି ବୋଲି ସେ କହିଥିଲେ । ବିଜେଡିରେ ଥାଇ ବିଭିନ୍ନ ସମୟରେ ବିଜେଡିକୁ ଆଟାକ୍ କରୁଛନ୍ତି ସୌମ୍ୟରଞ୍ଜନ । ତେଣୁ ସେ ବିଜେପି ଆ଼ଡକୁ ଢଳୁଥିବାର ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । 

ସୌମ୍ୟ ଆହୁରି କହିଛନ୍ତିଯେ,  ଜିତିବା ପାଇଁ ନେତାଙ୍କର ଆଚରଣ ଓ ଉଚ୍ଚାରଣ ବଦଳି ଯାଉଛି । ଅମିତ ଶାହ ୟୁପି ଜିତିବା ପଛରେ ସୋସିଆଲ୍ ଇଞ୍ଜିଜିନିୟରିଂ ପ୍ରମୁଖ କାରଣ । ଭାଷା, ଜାତି, ଧର୍ମକୁ ପଛରେ ପକାଇ ହିତାଧିକାରୀ (ଲାଭାର୍ଥି) ବର୍ଗ ତିଆରି ହୋଇଛି । ଯାହାଦ୍ୱାରା ୩୦ ପ୍ରତିଶତ ଭୋଟ କେହି କାଟି ପାରିବେ ନାହିଁ । ରାଜନୀତିରେ ଅର୍ଥର ପ୍ରଭାବକୁ ବାଦ ଦେଇ ସମର୍ପଣ ଭାବ ସହ ତୃଣମୂଳ ସ୍ତରରେ ଯୋଡ଼ି ହେବା । ନିର୍ବାଚନରେ ମାତ୍ର ୧୦ ହଜାର ଭୋଟ ବି ଯେଉଁ ମାନେ ପାଉନାହାନ୍ତି ତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦେବା ଅନୁଚିତ । ଏଭଳି ପଦକ୍ଷେପ ରାଜନୈତିକ ଦଳ ମାନଙ୍କୁ ନେବାକୁ ପଡ଼ିବ ।

ସୂଚନାଯୋଗ୍ୟ ଆଜି ଆୟୋଜିତ ହୋଇଛି ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ । 'ଅମିତ ଶାହ ଓ ବିଜେପିର ଯାତ୍ରା'ର ମୂଳ ଇଂରାଜି ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀ । ଆଜି ବହିର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ସ୍ୱପନ ଦାସଗୁପ୍ତା, ପୁସ୍ତକ ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶବାନନ୍ଦ ଦ୍ୱିବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଏହାସହ ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ସ୍ତମ୍ଭକାର ମଧ୍ୟ ଯୋଗ ଦେଇଛନ୍ତି ।