• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଭାସ୍ଥଳରେ ଯୁବତୀଙ୍କ ପ୍ରଶ୍ନରେ ରାଗିଗଲେ ବିଧାୟକ । ସର୍ବସମ୍ମୁଖରେ ତାଙ୍କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ନିଆଳି ବ୍ଲକ ଦୋପଟିତୋଟରେ ଦେଖିବାକୁ ମିଳିଛି ଏହି ଘଟଣା ।

ଏଠାରେ ସ୍ୱାଧୀନତା ସଂଗ୍ରାମୀ କଣ୍ଡୁରି ଚରଣ ମଲ୍ଲିକଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ(BJD MLA Pramod Mallick) । ତେବେ ସଭାରେ ଉପସ୍ଥିତ ଥିବା ଜଣେ ଯୁବତୀ ସ୍ୱର୍ଣ୍ଣଲତା ମଲ୍ଲିକ ତାଙ୍କୁ ଅଂଚଳରେ ଉନ୍ନତିମୂଳକ କାମ କଣ ହୋଇଛି ବୋଲି ପଚାରିଥିଲେ । ହେଲେ ପ୍ରଶ୍ନ ଶୁଣି ବିଧାୟକ ତାଙ୍କ ଉପରେ ରାଗି ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ବିଧାୟକ ଯୁବତୀଙ୍କୁ କହିଥିଲେ, ତୁମେ କ’ଣ ଟ୍ରେନିଂ ନେଇ କି ଆସିଛ ? ଏପରି ପଚାରିବା ପାଇଁ ତୁମର ବୟସ ହୋଇନି । ତୁମର ସାଧାରଣ ଜ୍ଞାନ ନାହିଁ । କ’ଣ ପାଠ ପଢ଼ିଛ ? କିଏ ତୁମକୁ ଶିଖେଇ କି ପଠେଇଛି ଆଦି କହିଥିଲେ । 

ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ଦୁଇ ବିଷ୍ଣୁଙ୍କ ଦୁଇ ବିଧାୟକ ପୁଅ

ବିଧାୟକ  ପ୍ରଶ୍ନର ଉତ୍ତର ନଦେଇ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରିଛନ୍ତି ବୋଲି ସ୍ୱର୍ଣ୍ଣଲତା ମଲ୍ଲିକ ଅଭିଯୋଗ କରିଛନ୍ତି । ଜଣେ ନାଗରିକ ହିସାବରେ ସେ ବିଧାୟକଙ୍କୁ ଏହା ପଚାରିଥିଲେ । ଅନ୍ୟପଟେ ଯୁବତୀଙ୍କୁ ଅସମ୍ମାନ କଲାଭଳି କିଛି କହିନଥିବା ପ୍ରତିକ୍ରିୟାରେ କହିଛନ୍ତି ବିଧାୟକ ପ୍ରମୋଦ ମଲ୍ଲିକ ।