• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗଞ୍ଜାମ ରାଜନୀତିରେ ହଲ୍‌ଚଲ୍ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ  ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି । ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି । ତେବେ ପ୍ରଦୀପ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବିଜେଡି ଭୟଭୀତ ବୋଲି କଟାକ୍ଷ କରିଛି ବିଜେପି ।

ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ । ସାମ୍ବାଦିକ ସମ୍ମିଳନୀ କରି ଉଭୟ ପ୍ରଦୀପ ଓ ବିଜେପିକୁ ଟାର୍ଗେଟ ପ୍ରଦୀପଙ୍କ ନାଁରେ ଆର୍ଥିକ ଠକେଇ ମାମଲା ରହିଛି । ଗିରଫ ହୋଇ ସେ ବେଲ୍‌ରେ ଅଛନ୍ତି । ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡି ଦଳରୁ ବିଦା କରିଥିଲା । ବିଜେପି କେଉଁ ନୀତିଆଦର୍ଶରେ ଏମିତି ନେତାକୁ ଦଳରେ ସାମିଲ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି  ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଓ ବିଧାୟକ ବିକ୍ରମ ପଣ୍ଡା ।

ଜବାବରେ ବିଜେପି କହିଛି, ପ୍ରଦୀପଙ୍କ ମାମଲା ବିଚାରଧୀନ ରହିଛି, ସେ ଦଳକୁ ଆସିଲେ ତାଙ୍କୁ ସ୍ୱାଗତ କରାଯିବ । ବିଜେଡି ଭୟଭୀତ ହୋଇପଡିଥିବା ତରବରିଆ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ବୋଲି କଟାକ୍ଷ କରିଛି ବିଜେପି ।

ପ୍ରଦୀପଙ୍କୁ ଦଳରୁ କାଢିବା ପରେ ବି ଅନେକ ସମୟରେ ଦଳ ପକ୍ଷରୁ ତାଙ୍କୁ ଆଟାକ କରାଯାଇଛି । କେତେବେଳେ କାର୍ଯ୍ୟକ୍ରମରେ ବିରୋଧ ତ କେତେବେଳେ ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ । ଏମିତି କି ଫାଇଭ ଟି. ସଚିବଙ୍କ ଗସ୍ତ ବେଳେ ତାଙ୍କୁ ଗଞ୍ଜାମରେ ପୂରେଇ ନଦେବାକୁ ଉଦ୍ୟମ କରିଥିଲେ ବିଜେଡି ନେତା । ଏଣେ ସେ ବିଜେପିରେ ଯୋଗ ଦେବେ କି ନାହିଁ ସ୍ପଷ୍ଟ ନହେଉଣୁ ବିଜେଡି କାହିଁକି ଏତେ ତତ୍ପର ?

ଚର୍ଚ୍ଚା ହେଉଛି ପ୍ରଦୀପ ବିଜେପିରେ ମିଶିଲେ ବଦଳି ଯାଇପାରେ ଗଞ୍ଜାମ ରାଜନୈତିକ ଚିତ୍ର । ଓଲଟପାଲଟ ହୋଇପାରେ ବିଜେଡି ସମୀକରଣ । କାହିଁକି ନା ୧୦ ବର୍ଷରୁ ଅଧିକ ସମୟ ଧରି ଗଞ୍ଜାମ ବିଜେଡିର ହର୍ତ୍ତାକର୍ତ୍ତା ଥିଲେ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ହୋଇ ହିଞ୍ଜିଳି କଥା ବି ବୁଝୁଥିଲେ । ତେଣୁ ସଂଗଠନର ପ୍ରତିଟି କର୍ମୀଙ୍କ ସହ ସେ ଜଡ଼ିତ ଆଉ ଏବେ ବି ଯୋଗାଯୋଗରେ ଅଛନ୍ତି । ୨୦୦୯, ୧୪ ଓ ୧୯  ନିର୍ବାଚନରେ ଟିକେଟ ବାଣ୍ଟିବାଠାରୁ ଆରମ୍ଭ କରି ପାର୍ଟି ଫଣ୍ଡ ମ୍ୟାନେଜମେଣ୍ଟ ମଧ୍ୟ ପ୍ରଦୀପଙ୍କ ଅଧୀନରେ ଥିଲା । ଦଳରେ ଗୋଷ୍ଠୀ କନ୍ଦଳ ବଢୁଥିବା ବେଳେ ବିଦ୍ରୋହୀମାନେ ପ୍ରଦୀପଙ୍କ ସହ ହାତ ମିଳାଇ ବିଜେଡିକୁ ଅକଳରେ ପକାଇପାରନ୍ତି ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିକଟରେ ବସିଥିଲେ ପ୍ରଦୀପ ପାଣିଗ୍ରାହୀ । ବାସ୍ ଏ ଫଟ ହିଁ ଏବେ କମ୍ପନ ସୃଷ୍ଟି କରିଛି ରାଜନୈତିକ ମହଲରେ ।

  • Reported by:
  • ASHOK BRAHMA , ARACHANA SATPATHY