/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635262883.jpg)
Soumya Ranjan Patnaik
ଭୁବନେଶ୍ୱର: ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ । ନିର୍ବାଚନ ଜିତିବା ଏକ ମାତ୍ର ଲକ୍ଷ୍ୟଠୁ ଆରମ୍ଭ କରି ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି ସଂକୁଚିତ ହେବା, ବାରମ୍ବାର ମିଳୁଥିବା ସହଜ ସଫଳତା ଅହଙ୍କାର ରୂପ ନେବା ଆଦି ପ୍ରସଙ୍ଗ ସଂପାଦକୀୟରେ ଲେଖି ସୌମ୍ୟ ବେଶ୍ ଶାଣିତ ସମାଲୋଚନା କରିଛନ୍ତି । ସୌମ୍ୟଙ୍କ ଏହି ଲେଖା ବିରୋଧୀଙ୍କୁ ଖୋରାକ୍ ଯୋଗାଇଥିବା ବେଳେ ବିଜେଡି କହିଛି ସରକାର ସବୁଥିରେ ସଫଳ।
Also Read
ବିଜେଡି ବିଧାୟକ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନବୀନ ବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ ଶୀର୍ଷକ ସମ୍ପାଦକୀୟ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଖୋଲିଛି। ବିଜେଡି ସରକାରର ଅନେକ ଗୁମର ସଂପାଦକୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ପଦ୍ଧତିକୁ କଡ଼ା ସମାଲୋଚନା କରିଛନ୍ତି ସୌମ୍ୟ। କେତେଜଣ ବିଧାୟକ ଛାତିରେ ହାତଦେଇ ସେମାନେ ଆୟ ବହିର୍ଭୁତ ସଂପତ୍ତିର ଅଧିକାରୀ ନୁହଁନ୍ତି ବୋଲି କହିପାରିବେ ବୋଲି ସୌମ୍ୟ ଲେଖିଛନ୍ତି। କେବଳ ଏତିକି ନୁହେଁ, ସେପଟେ ସ୍ମାର୍ଟ କ୍ଲାସ ଓ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନକୁ କଟାକ୍ଷ କରିଛନ୍ତି ସୌମ୍ୟ। ପ୍ରଶିକ୍ଷିତ ଶିକ୍ଷକମାନଙ୍କ ସଂଖ୍ୟା ନବଢେଇ କେବଳ କୋଠାବାଡିକୁ ଚକାଚକ୍ କରିଦେଲେ ବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମୃଦ୍ଧ ନକରି ସ୍ମାର୍ଟ କାର୍ଡ ବଣ୍ଟନ କଲେ ଓଡ଼ିଆ ଯୁବକମାନଙ୍କ ପାଇଁ ଦେଖାଯାଇଥିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ।
ପୋଲିସ୍ର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ। ପ୍ରଭାବଶାଳୀ ଓ କ୍ଷମତାସୀନ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ୍ ଅଧିକ ତତ୍ପର ଥିଲା ପରି ମନେ ହେଉଛି। ନବୀନଙ୍କ ଲୋକପ୍ରିୟତାକୁ ନେଇ ବି ସୌମ୍ୟ ପ୍ରଶ୍ନ ଉଠାଇଛନ୍ତି। ନବୀନ, ପ୍ରଥମ ୧୦ ବର୍ଷ ଅନ୍ୟ ରାଜନେତାଙ୍କଠାରୁ ଭିନ୍ନ ହୋଇ ଓଡ଼ିଶାବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ। କିନ୍ତୁ ପରବର୍ତ୍ତି ୧୦ ବର୍ଷରେ ସେ ଜୁଆରରେ ଭଟ୍ଟା ପଡିଥିଲା ଭଳି ଲାଗୁଛି। ନବୀନବାବୁଙ୍କ ସବୁ କାର୍ଯ୍ୟକ୍ରମର ଗୋଟିଏ ମାତ୍ର ଲକ୍ଷ୍ୟ ନିର୍ବାଚନରେ କେମିତି ଭୋଟ୍ ପାଇ ଜିତିବା। ଏହି ଲକ୍ଷ୍ୟ ସାଧାନ ପାଇଁ ନବୀନ ଶାସନର ସଫଳତାର ମୂଳମନ୍ତ୍ର ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଶଙ୍କୁଚିତ ହେବା ଜନସାଧାରଣ ଅନୁଭବ କରୁଥିବା ଦର୍ଶାଇ ତୀର ମାରିଛନ୍ତି ସୌମ୍ୟ। ଆହୁରି ମଧ୍ୟ ଲେଖିଛନ୍ତି, ବାରମ୍ବାର ମିଳୁଥିବା ସହଜ ସଫଳତା ଆଜି ଅହଙ୍କାର ରୂପ ନେଇଛି।
ସୌମ୍ୟଙ୍କ ସଂପାଦକୀୟକୁ ବିରୋଧୀ ବିଜେପି ଓ କଂଗ୍ରେସ ସମର୍ଥନ କରିବା ସହ ଶାସନ ବ୍ୟବସ୍ଥାର ଅନେକ ଗୁମର ସୌମ୍ୟ ବାବୁ କହିଛନ୍ତି ବୋଲି ଉଭୟ ଦଳ କହିଛନ୍ତି। ବିଜେଡି କିନ୍ତୁ କହିଛି ସରକାର ସବୁଥିରେ ସଫଳ, ପୂର୍ବ ୧୦ ବର୍ଷ ଅପେକ୍ଷା ଏବେ ଭଲ କାମ ହୋଇଛି।
ଶାସକ ଦଳରେ ଥାଇ କୋଭିଡ୍ ପରିଚାଳନାଠୁ ଆରମ୍ଭ କରି ଏକାଧିକ ଥର ସରକାର ଏବଂ ବ୍ୟବସ୍ଥା ଉପରକୁ ନିଜ ସମ୍ପାଦକୀୟ ଲେଖା ଜରିଆରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ। କେବଳ ସୌମ୍ୟ ନୁହଁନ୍ତି, ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ସାଂସଦ ତଥାଗତ ସତପଥୀ ମଧ୍ୟ ସଂପାଦକୀୟମାନ ଲେଖି ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋନା କରିଥିଲେ। ତେବେ ଶାସନ-ପ୍ରଶାସନର ମଞ୍ଜକଥାକୁ ନେଇ ସୌମ୍ୟଙ୍କ ତୀର୍ଯ୍ୟକ ଲେଖା ବିଜେଡି ପାଇଁ ଅଡୁଆ ସୃଷ୍ଟି କରୁଛି। ତେଣୁ ଦଳୀୟ ନେତୃତ୍ୱ ଏହା ଉପରେ କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ତା ଉପରେ ନଜର ରହିଛି।
ପୁରୀରୁ ପ୍ରଦୀପ ମହାନ୍ତିଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)