• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବିଜେଡ଼ି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ତିନିଦିନ ତଳେ କିଛି ଏମିତି ପ୍ରତିକ୍ରିୟା ଦେଇଥିଲେ ଯାହା ତାଙ୍କୁ ଚର୍ଚ୍ଚିତ କରିଥିଲା । ହେଲେ ଏବେ ପୁଣି ଥରେ ପ୍ରତିକ୍ରିୟା ଲାଗି ଟିଭି ସାମ୍ବାଦିକଙ୍କ ବୁମ୍‌ ମାଇକ୍ ଦେଖୁଦେଖୁ, ରୋକଠୋକ୍ ଶୁଣାଇଦେଲେ, ଦଳର ମୁଖପାତ୍ର ଅଛନ୍ତି, ଯାହା ପଚାରିବା କଥା ସେମାନଙ୍କୁ ପଚାର। ମୋର କିଛି କହିବାର ନାହିଁ, ମତେ କାହିଁକି ପଚାରୁଛ?

ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି? ତାଙ୍କ ଦଳ ବିଜେଡି ସାଢେ ୪ କୋଟି ଓଡ଼ିଆଙ୍କୁ ପରିବାର ଭାବେ। ସେମାନେ କେମିତି ଭଲରେ ରହିବେ ସେକଥା ଚିନ୍ତା କରେ। କିନ୍ତୁ କେନ୍ଦ୍ରର ଏମିତି ଦର ବୃଦ୍ଧିରେ ସାଧାରଣ ଲୋକ କେମିତି ବଂଚିବେ? ପ୍ରଧାନମନ୍ତ୍ରୀ କଣ ଚାହୁଁଛନ୍ତି ଗରିବ ଲୋକ କଞ୍ଚା ଚାଉଳ ଓ ପରିବା ଖାଆନ୍ତୁ?

ସୁଯୋଗ ମିଳିଲେ ନିଜ ଦଳ ଓ ନେତାଙ୍କୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉ ନଥିବା ସୌମ୍ୟରଂଜନଙ୍କ ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ରାଜନୈତିକ ପଣ୍ଡିତଙ୍କ ଭିତରେ ଖୁବ୍ ଚର୍ଚ୍ଚା। ତିନିଦିନ ତଳେ ତାଙ୍କର ଦୁଇଟି ଖୋଲା ମନ୍ତବ୍ୟ- ‘ସଚିବ ବଡ଼ ନା ମନ୍ତ୍ରୀ’ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ଭେଟିପାରୁ ନାହାଁନ୍ତି, ଖୁବ୍ ଚର୍ଚ୍ଚାକୁ ଆସିଥିଲା ଏବଂ ଏହାକୁ ନେଇ ବିଜେଡି ଅପ୍ରୀତିକର ପରିସ୍ଥିତିରେ ପଡ଼ିଥିଲା। ପ୍ରଶ୍ନ ଉଠିଛି, ସେଇ ଅପ୍ରୀତିକର ସ୍ଥିତିକୁ ପ୍ୟାଚ୍ ପକେଇବାକୁ ସୌମ୍ୟ ଆଜି ଦଳୀୟ ବ୍ୟାନର ତଳେ ବସି କେନ୍ଦ୍ର ଓ ବିଜେପିକୁ ସମାଲୋଚନା କରିଛନ୍ତି କି? ତେବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସୌମ୍ୟବାବୁ କାହାର?

ସିଧାକଥା କହି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟୁଥିବା ସୌମ୍ୟରଂଜନ, ଆଗାମୀ ଦିନରେ ଦଳୀୟ ଆନୁଗତ୍ୟ ଦେଖାଇ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିବେ ନା ପୁଣି କେତେବେଳେ କହୁକହୁ ବାଣ ମାରିଦେବେ, ତାକୁ ଅପେକ୍ଷା।...